ଦଶପଲ୍ଲାରେ ପ୍ରବଳ ବର୍ଷାରେ ଭିଜି ଭିଜି ବିକ୍ଷୋଭ କଲେ ସିପିଆଇଏମ କର୍ମୀ

ଦଶପଲ୍ଲା,(୧୫/୦୯): ଦଶପଲ୍ଲାର ମେଳିଆ ତୋଟା ଠାରୁ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସ ବାଦୀ) ନେତୃତ୍ୱରେ, ଡି.ୱା.ଇ.ଏଫ.ଆଇ, ଓଡ଼ିଶା କୃଷକ ସଭା, ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଓ ସିଆଇଟିୟୁର କର୍ମୀମାନେ ହାତରେ ପତାକା ଓ ଫେଷ୍ଟୁନ ଧରି ବିଭିନ୍ନ ଦାବୀ ଉପରେ ସ୍ଲୋଗାନ ଦେଇ ପ୍ରବଳ ବର୍ଷାରେ ଭିଜି ଭିଜି ପ୍ରଥମେ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ବିଡ଼ିଓଙ୍କୁ ଲୋକମାନଙ୍କର ବିଭିନ୍ନ ଦାବି, ମୁଖ୍ୟତଃ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରେସନ୍ କାର୍ଡ ଓ ଏମ୍.ଏନ୍.ଆର୍.ଇ.ଜି.ଏ ସମ୍ପର୍କିତ ଅଭିଯୋଗ ଏବଂ ଦାବୀ ଜଣାଇଲା ପରେ ଶୋଭାଯାତ୍ରା ତହସିଲ ଅଭିମୁଖେ ଯାଇଥିଲା। ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବକ୍ତା ମାନେ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ସ୍ଥାନୀୟ ସମସ୍ୟା ଗୁଡ଼ିକ ଯଥା କଳସାଖମଣ, ଦୁଡା, ନୂଆଗାଁ ଓ ପୋଖରିଗୋଛା ପଞ୍ଚାୟତରେ ଟେଲିଫୋନ ସେବା ପାଇଁ ଟାୱାର ନିର୍ମାଣ ସହ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ପାନୀୟ ଜଳ ପ୍ରଭୃତି ତତସହିତ ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ଦାବୀ ଉପସ୍ଥାପନ କରିଥିଲେ।

ମୁଖ୍ୟତଃ କୃଷକ ବିରୋଧୀ ନୂତନ କୃଷି ଆଇନ୍ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମକୋଡ଼ ବାତିଲ, ବେକାରୀଙ୍କୁ ନିଯୁକ୍ତି, ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ ଦର କମାଇବା, ୨୦୦ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଭଡ଼ା ଛାଡ କରିବା, କୃଷକକୁ ବିଭିନ୍ନ ସହାୟତା ପ୍ରଦାନ କରିବା, ମନରେଗା ଯୋଜନାରେ ଦୈନିକ ୬୦୦ ଟଙ୍କା ଲେଖାଏଁ ମଜୁରୀ ସହିତ ୨୦୦ ଦିନର କାମ। ସାମ୍ବାଦିକ, ବୁଦ୍ଧିଜୀବି ଲେଖକମାନଙ୍କ ସ୍ଵାଧୀନ ମତବ୍ୟକ୍ତ ଉପରେ ଦେଶଦ୍ରୋହ ଭଳି ସଙ୍ଗୀନ ଅଭିଯୋଗ ଆଣି ଭିନ୍ନ ମତ ଉପରେ ଆକ୍ରମଣ ବନ୍ଦ୍ କରିବା ଏବଂ ସମ୍ପ୍ରତି ତ୍ରିପୁରା ରାଜ୍ୟରେ ବିଜେପି ଓ ଆର୍.ଏସ.ଏସର ବିରୋଧୀ ଦଳ ତଥା ସିପିଏମ କର୍ମୀ ଓ ନେତାଙ୍କ ଉପରେ ଆକ୍ରମଣ ସହିତ ପାର୍ଟି ଅଫିସ ଓ ପାର୍ଟିର ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ପୋଡି ନଷ୍ଟ କରି ଦେବା ଭଳି ଫାଶୀ ବାଦୀ କାର୍ଯ୍ୟକୁ ବନ୍ଦ କରିବା ସହିତ ଅପରାଧୀ ମାନଙ୍କୁ ତୁରନ୍ତ ଦଣ୍ଡ ବିଧାନ ପ୍ରଭୃତିକୁ ନେଇ ୧୮ଦଫା ସମ୍ବଳିତ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଧାମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିପିଏମ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଲୋକାଲ କମିଟି ସମ୍ପାଦକ ଗଣେଶ୍ୱର ନାୟକ, ଡି.ୱାଇ.ଏଫ୍.ଆଇର ରାଜ୍ୟ ସଭାପତି ସରୋଜ ନାୟକ, ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, କୃଷକ ନେତା ବ୍ରଜବନ୍ଧୁ ପ୍ରଧାନ, ସିଆଇଟିୟୁ ନେତ୍ରୀ ଜୟନ୍ତୀ ଦାଶ, ଯୁବନେତା ବିପିନ୍ ବାଜୁ, ସୁଶାନ୍ତ ନାଏକ ପ୍ରମୁଖ ନେତୃତ୍ୱ ନେଇଥିଲେ।

Related posts