ଚୋରୀ ହେବାର ୧୨ଘଣ୍ଟା ମଧ୍ୟରେ ଲକ୍ଷାଧିକ ଟଙ୍କାର ଚୋରୀ ଗହଣା ଉଦ୍ଧାର, ୨ମହିଳା ଲୁଟେରା ଗିରଫ

ରଣପୁର/ଚାନ୍ଦପୁର,(୧୫/୦୯): ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ମିଳିଛି ସଫଳତା। ଲୁଟ ହେବାର ୧୨ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ରୁପା ଗହଣାକୁ ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଚାନ୍ଦପୁର ଅଞ୍ଚଳର ସୁଶାନ୍ତ ନାୟକଙ୍କ ଘରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଯାଇଥିଲା। ଏ ନେଇ ସୁଶାନ୍ତ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ତତ୍ପରତା ଦେଖାଇ ଖୋଲତାଡ଼ ଆରମ୍ଭ କରିଥିଲା। ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଥିବା ଯାଯାବର ଗ୍ୟାଙ୍ଗ ଉକ୍ତ କାଣ୍ଡ ଘଟାଇଛନ୍ତି। ସଙ୍ଗେ ସଙ୍ଗେ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇ ଚାନ୍ଦପୁର ଥାନା ଅଞ୍ଚଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ଏବଂ ରାତିତମାମ ବିଭିନ୍ନ ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପେରସନ ଜାରି ରଖିଥିଲା।

ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଗହଣା

ତେବେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁଙ୍କ ସହଯୋଗ କ୍ରମେ ଉକ୍ତ ଚୋରିରେ ସାମିଲ ଥିବା ଦୁଇ ମହିଳା ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୨ ଗ୍ରାମ ସୁନା ଗହଣା ଏବଂ ୫୩୯ ଗ୍ରାମ ରୁପା ଗହଣା ଜବତ କରିବାରେ ସକ୍ଷମ ହୋଇଛି। ଯାହାର ମୂଲ୍ୟ ୨,୧୫,୯୫୦ଟଙ୍କା ହେବ। ଏ ସଂକ୍ରାନ୍ତରେ ଚାନ୍ଦପୁର ପୋଲିସ କେସ ନମ୍ବର ୧୨୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ଏନେଇ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଟୁଇଟ କରି ସୂଚନା ଦେଇଛନ୍ତି। ଆଇଆଇସିଙ୍କ କହିବା ମୁତାବକ ଉକ୍ତ ଗ୍ୟାଙ୍ଗରେ ଉଭୟ ପୁରୁଷ ଏବଂ ମହିଳା ଦୁର୍ବୁତ୍ତମାନେ ଅଛନ୍ତି। ସେମାନେ ଦିନ ବେଳେ ବିଭିନ୍ନ ଘରେ କାମ କରିବା ବାହାନାରେ ଯାଆନ୍ତି ଏବଂ ରାତିରେ ଉକ୍ତ ଘରଗୁଡିକରୁ ଚୋରି କରିଥାନ୍ତି। ଅନୁରୂପ ଭାବେ ଜନସାଧାରଣ ମାନେ ରାଜ୍ୟ ବାହାରୁ ଆସୁଥିବା ଏପରି ସଂନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଦେଖିଲେ ତୁରନ୍ତ ଥାନାକୁ ଜଣାଇବାକୁ ଚାନ୍ଦପୁର ଆଇଆଇସି ଶ୍ରୀ ଦାସ ଅନୁରୋଧ କରିଛନ୍ତି।

Related posts