ଡିସେମ୍ବର ୧୨ରୁ ଆରମ୍ଭ ହେବ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ

ଚାରିଦିନିଆ ମହାଯଜ୍ଞର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକର ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶରେ ଆସନ୍ତା ଡିସେମ୍ବର ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଛି ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ-୨୦୨୬। ଏହି ମହାଯଜ୍ଞକୁ ଶୃଙ୍ଖଳିତ, ଭବ୍ୟ ଓ ସଫଳତାର ସହ ଆୟୋଜନ କରିବା ନିମନ୍ତେ ଶନିବାର ଅପରାହ୍ନ ୪ଟାରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ ଉପସ୍ଥିତ ଅଧିକାରୀ ଓ ଟ୍ରଷ୍ଟି ସଦସ୍ୟମାନଙ୍କୁ ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପୂର୍ବବର୍ଷର ବୈଠକ ବିବରଣୀ ପାଠ କରିଥିଲେ।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ମହାଯଜ୍ଞକୁ କିପରି ଅଧିକ ସରସ, ସୁନ୍ଦର ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରାଯାଇପାରିବ, ସେନେଇ ଜିଲ୍ଲାପାଳ ଶ୍ରୀମତୀ ରଥ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ଓଁ ମା’ ସତ୍ୟ ଶାନ୍ତି ସେବାଶ୍ରମର ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ମହାଯଜ୍ଞର ସୁପରିଚାଳନା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ଆବଶ୍ୟକୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ଆଗାମୀ ଦିନରେ ଗଣିଆ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟ୍ରଷ୍ଟି ସଦସ୍ୟ ଏବଂ ମହାଯଜ୍ଞ ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ନେଇ ଆଉ ଏକ ସମନ୍ୱୟ ବୈଠକ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଉପ ଆରକ୍ଷୀ ଅଧୀକ୍ଷକ ଦୀନେଶ ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଟ୍ରଷ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Related posts