ଏକତା ଦୌଡ଼, ଶପଥ ପାଠ ଓ ଆକର୍ଷଣୀୟ ପ୍ୟାରେଡ୍ ମାଧ୍ୟମରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଲୌହମାନବ ତଥା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଦିନତମାମ ଏକତା ଦୌଡ଼, ଶପଥ ପାଠ, ପୋଲିସ ପ୍ୟାରେଡ୍ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜାତୀୟ ସଂହତି ଓ ଦେଶପ୍ରେମର ବାର୍ତ୍ତା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସକାଳ ୭ଟାରେ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍)ଠାରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପର୍ଯ୍ୟନ୍ତ ‘ରନ୍ ଫର୍ ୟୁନିଟି’ ବା ଏକତା ଦୌଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ଜିଲ୍ଲାପାଲଳ ମଧୁମିତା ରଥ, ଏସ୍ପି ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ପିଟିଏସ୍ ପ୍ରିନ୍ସିପାଲ ଭବେଶ ନାୟକ ଓ ଅତିରିକ୍ତ ଏସ୍ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସର୍ଦ୍ଦାର ପଟେଲଙ୍କ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ଏଥିସହ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଜାତୀୟ ଏକତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍ଡିପିଓଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ସେହିପରି ପୂର୍ବାହ୍ନ ୧୧ଟା ସମୟରେ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା, ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଜାତୀୟ ଏକତା ଦିବସ ଅବସରରେ ଶପଥ ପାଠ କରିଥିଲେ।
ଅପରାହ୍ନ ୪ଟାରେ ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆରେ ମୁଖ୍ୟ ପ୍ୟାରେଡ୍ ଆୟୋଜିତ ହୋଇଥିଲା। ଏଥିରେ ନୟାଗଡ଼ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ଗଠନ, ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିଥିଲେ। ଏହି ପ୍ୟାରେଡ୍ରେ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା, ପିଟିଏସ୍ ପ୍ରିନ୍ସିପାଲ ଭବେଶ ନାୟକ, ଅତିରିକ୍ତ ଏସ୍ପି ଜ୍ୟୋତିରଞ୍ଜନ ସାମନ୍ତରାୟ, ଏସ୍ଡିପିଓଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ରିଜର୍ଭ ପୋଲିସର ଆର୍ଆଇ ବିରଞ୍ଚି ନାରାୟଣ ନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିଲେ।
ପ୍ୟାରେଡ୍ ପରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଗୁଜରାଟର କେଭାଡ଼ିଆଠାରୁ ସିଧା ପ୍ରସାରିତ ଜାତୀୟ ଏକତା ଦିବସ ସମାରୋହରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଉପସ୍ଥିତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶ୍ରବଣ କରିଥିଲେ।
ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ସହ ଜାତୀୟ ସଂହତିର ଭାବନାକୁ ସମାଜର ପ୍ରତ୍ୟେକ ସ୍ତରରେ ସୁଦୃଢ଼ କରିବାର ସଂକଳ୍ପ ନେଇ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା।
