୨୧୪ ଜଣ ଛାତ୍ରଛାତ୍ରୀଙ୍କ ଜ୍ଞାନ, ପ୍ରତିଭା ଓ ସୃଜନଶୀଳତାର ନିଆରା ପ୍ରଦର୍ଶନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ, ବରଂ ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହିଁ ପ୍ରକୃତ ଶିକ୍ଷା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଟେକ ପବ୍ଲିକ ସ୍କୁଲ ପରିସରରେ ଏକ ଶିକ୍ଷା ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରବୀର କୁମାର ପୃଷ୍ଟି ଓ ଅଧ୍ୟକ୍ଷା ଶ୍ରୀମତୀ ରୋଜାଲିନ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିକ୍ଷା ମେଳାକୁ ଶୁଭ ଉଦ୍ଘାଟନ କରିଥିଲେ।
ଏହି ଅଭିନବ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବର୍ଗର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ, ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ଓଡ଼ିଆ ଓ ସାମାଜିକ ବିଜ୍ଞାନ ଭଳି ବିଭିନ୍ନ ବିଷୟକୁ ଆଧାର କରି ସେମାନେ ଅନେକ ଆକର୍ଷଣୀୟ ଓ ଜ୍ଞାନବର୍ଦ୍ଧକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ପ୍ରତ୍ୟେକ ପ୍ରକଳ୍ପରେ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା, ନିଷ୍ଠାପର ପରିଶ୍ରମ ଓ ସୃଜନଶୀଳତାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଥିଲା।
ଏହି ଶିକ୍ଷା ମେଳାରେ ସର୍ବକନିଷ୍ଠ ବର୍ଗରୁ ୭୪ ଜଣ, କନିଷ୍ଠ ବର୍ଗର ଗଣିତ ଓ ବିଜ୍ଞାନରୁ ୫୬ ଜଣ, ଇଂରାଜୀ, ହିନ୍ଦୀ ଓ ସାମାଜିକ ବିଜ୍ଞାନରୁ ୧୫ ଜଣ, ବରିଷ୍ଠ ବର୍ଗର ଗଣିତ ଓ ବିଜ୍ଞାନରୁ ୫୨ ଜଣ ଏବଂ ଇଂରାଜୀ, ସାମାଜିକ ବିଜ୍ଞାନ ଓ ସଂସ୍କୃତରୁ ୧୭ ଜଣ ଅଂଶଗ୍ରହଣ କରିଥିଲେ। ଏହିପରି ସର୍ବମୋଟ ୨୧୪ ଜଣ ଛାତ୍ରଛାତ୍ରୀ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଏକ ଅଭିଜ୍ଞ ବିଚାରକ ମଣ୍ଡଳୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଡକ୍ଟର ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡକ୍ଟର ସନ୍ତୋଷ କୁମାର ବେହେରା, କେଶବ ଚନ୍ଦ୍ର ରାଉତରାୟ, କୃପାସିନ୍ଧୁ ସ୍ୱାଇଁ, ବିଜୟଲକ୍ଷ୍ମୀ ସାହୁ, ପୂର୍ଣ୍ଣିମା ତ୍ରିପାଠୀ, ଲକ୍ଷ୍ମୀଧର ସାହୁ, ଦଣ୍ଡପାଣି ପାତ୍ର, ସ୍ମିତାରାଣୀ କର ଓ ଶୁଭଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଚାରକମାନେ ପ୍ରତ୍ୟେକ ପ୍ରକଳ୍ପକୁ ଗଭୀରତାର ସହ ପର୍ଯ୍ୟବେକ୍ଷଣ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରକଳ୍ପର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପିଲାମାନଙ୍କ ଉପସ୍ଥାପନା ଶୈଳୀ, ନୂତନ ଚିନ୍ତାଧାରା, ବିଷୟବସ୍ତୁ ଉପରେ ଜ୍ଞାନ ଓ ବ୍ୟବହାରିକ ଉପଯୋଗିତାକୁ ଆଧାର କରି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।
ଏହି ଶିକ୍ଷା ମେଳା କେବଳ ଏକ ପ୍ରଦର୍ଶନୀ ନଥିଲା, ବରଂ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ଆତ୍ମବିଶ୍ୱାସ, ଜ୍ଞାନ ଓ ସୃଜନଶୀଳତାକୁ ପରିପ୍ରକାଶ କରିବାର ଏକ ଉତ୍କୃଷ୍ଟ ମଞ୍ଚ ଥିଲା। ଏଭଳି ଅଭିନବ ପ୍ରୟାସ ମାଧ୍ୟମରେ ୟୁନିଟେକ ପବ୍ଲିକ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ନିଜର ପ୍ରତିବଦ୍ଧତା ପ୍ରମାଣିତ କରିଛି ବୋଲି ଅଧ୍ୟକ୍ଷା ରୋଜାଲିନ ପାତ୍ର ମତବ୍ୟକ୍ତ କରିଥିଲେ।

