ବନ୍ୟା ପୀଡ଼ିତଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ

ନୟାଗଡ଼,(୧୬/୦୯): ଲଗାଣ ବର୍ଷା ଜନିତ ନୟାଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗରିବ ଲୋକଙ୍କ ଚାଳଛପର ଘର ଭାଙ୍ଗିଯାଇଛି ଲୋକେ ଅକାଥନୀୟ ଦୁର୍ଦ୍ଦଶାରେ ଅଛନ୍ତି କିନ୍ତୁ ଦୁଃଖର ବିଷୟ ତହସିଲଦାର, ବିଡ଼ିଓ ତଥା କୌଣସି ସରକାରୀ କର୍ମଚାରୀ ଘରଭଙ୍ଗା ଲୋକଙ୍କ ପାଖେ ଏଯାଏଁ ପହଞ୍ଚି ପାରି ନଥିବା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ଘର ଭାଙ୍ଗିଥିବା ପ୍ରତ୍ୟେକ ଦୁଃଖୀ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଣ୍ଟନ କରିବା ସହ ଧାନ, ଆଖୁ, ପରିବା ଚାଷୀଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଆର୍ଥିକ କ୍ଷତିପୁରଣୀ ପ୍ରଦାନ କରିବା ପାଇଁ ଜିଲ୍ଲା କଂଗ୍ରେସ ଦାବୀ କରିଛି। ଆଜି ନୟାଗଡ କଂଗ୍ରେସର ପ୍ରତିନିଧି ଦଳ ନୟାଗଡ ବ୍ଲକର ଖୁଣ୍ଟୁବନ୍ଧ, କାଳିକାପ୍ରସସାଦ, ନୋତର, ଗମ୍ଭାରୀଡ଼ିହି, ସଂଖେଇ ଇତ୍ୟାଦି ବହୁ ଗ୍ରାମବୁଲି ଘରଭାଙ୍ଗି ଯାଇଥିବା ଲୋକଙ୍କ ଦୁଃଖ ସହ ସାମିଲ ହୋଇଥିଲେ। ସିପାହୀ ଅସୁରଢ଼ିପା ଗ୍ରାମର ହରିହର ମହାପାତ୍ର, ସଂସାରୀ ମହାପାତ୍ର, ଗୋଲା ସ୍ୱାଇଁ, ପଦ୍ମନାଭ ଗୌଡ଼, ଘନ ବେହେରା, ଶାନ୍ତି ଦେଇ, ରନିଆ ଦେଇ, ପଙ୍କଜ ସାହୁ, ବିମ୍ବାଧର ସାହୁ, ସଂଖେଇ ଗ୍ରାମର ତ୍ରିନାଥ ପଳେଇ, ମହେନ୍ଦ୍ର ନାୟକ, ଚକ୍ରଧର ନାୟକ, ଦୀନବନ୍ଧୁ ପଲେଇ, ମାଟିଆଣି ବେୱା, ମାମିନା ସାହୁ, ରବି ସ୍ୱାଇଁ, ସେରେନ୍ଦି ବେୱା, ସମ୍ବାରି ସ୍ୱାଇଁ, କଇଁଥଗାଡ଼ିଆ ଗ୍ରାମର ପ୍ରମୁଖଙ୍କ ଘର ଭାଙ୍ଗି ଯାଇଥିଲା ବେଳେ ଏହି ଦୁଃଖୀ ଲୋକଙ୍କ ପାଖରେ ସରକାରୀ ବାବୁ ମାନଙ୍କ ପାଦ ପଡି ନଥିବା କଂଗ୍ରେସ କହିଛି।

ଲଗାଣ ବର୍ଷାରେ ଚାଷଜମି ଗୁଡିକରେ ପାଣି ବୁଡି ରହିବା ଯୋଗୁଁ ଧାନ ଫସଲ, ଆଖୁ ଫସଲ, ପରିବା ଚାଷ କରିଥିବା ଚାଷୀ ଭାଇମାନଙ୍କ ବହୁ କ୍ଷତି ହୋଇଛି ମାତ୍ର ଆଶ୍ଚର୍ଯ୍ୟର କଥା କୃଷିବିଭାଗୀୟ ଅଧିକାରୀ ଏଯାଏଁ କ୍ଷୟକ୍ଷତି ଆକଳନ ପାଇଁ ଆସି ନାହାଁନ୍ତି। ଲୋକେ ଦୁଃଖ ଦୁର୍ଦ୍ଧିନରେ ଥିବାବେଳେ ପୁଣି ଏକ ଲଘୁଚାପ ଗରିବ ଲୋକଙ୍କ ଅଣ୍ଟା ଭାଙ୍ଗିଦେବ ବୋଲି କଂଗ୍ରେସ ନେତା କହିଛନ୍ତି। କଂଗ୍ରେସ ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ଶ୍ରୀ ଦାଶ, ପ୍ରଦେଶ କଂଗ୍ରେସ ସମ୍ପାଦକ ହୁସେନ ଖାଁ, ଖୁଣ୍ଟୁବନ୍ଧ ସରପଞ୍ଚ ତଥା ଡିସିସି ସାଧାରଣ ସମ୍ପାଦକ ସତ୍ୟବାନ ନାୟକ, ନୋତର ପଞ୍ଚାୟତ ପୂର୍ବତନ ସରପଞ୍ଚ ଭାଗିରଥି ପଲେଇ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଡ଼ଭୋକେଟ ଆଦିତ୍ୟ ପ୍ରସାଦ ପରିଡା ପ୍ରମୁଖ ସାମିଲ ଥିଲେ। ଜିଲ୍ଲାର ଅନ୍ୟାନ୍ୟ ଗ୍ରାମାଞ୍ଚଳକୁ ଯାଇ କ୍ଷୟକ୍ଷତି ଆକଳନ କରି ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ସ୍ମାରକପତ୍ର ଦିଆଯିବ।

Related posts