ଅବି ମେମୋରିଆଲ ଟ୍ରଷ୍ଟର ଗାନ୍ଧୀ ଜୟନ୍ତୀ ପାଳନ, ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଉପରେ ଆଲୋଚନା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ସାକିଣୀଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରୟାତ ଗାନ୍ଧୀବାଦୀ ଅଧିବକ୍ତା ଜନାବ ଏ.ଆର୍. ଖାନଙ୍କ ସ୍ମୃତିରେ ଅବି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ତାତ୍ତ୍ୱିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିବକ୍ତା ସୁଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ‘ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା’ ବିଷୟକ ଏହି ଆଲୋଚନା ସଭାରେ ଶତାଧିକ ପ୍ରଗତିଶୀଳ ମହିଳା ଓ ପୁରୁଷ ଯୋଗଦେଇଥିଲେ।

ସରଳ ଜୀବନଯାପନ ଓ ଅସାଧାରଣ ମାନବବାଦରେ ବିଶ୍ୱାସ ରଖିଥିବା ପ୍ରୟାତ ଅଧିବକ୍ତା ଏ.ଆର୍. ଖାନଙ୍କ କର୍ମକ୍ଷେତ୍ର ସାକିଣୀ କ୍ଷେତବାଡ଼ିରେ ତାଙ୍କ ସୁକନ୍ୟା ତଥା ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ଫିର୍ଦୋସଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ବାମପନ୍ଥୀ ଚିନ୍ତାନାୟକ ତଥା ସ୍ତମ୍ଭକାର ସନ୍ତୋଷ ଦାସ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀବାଦର ପ୍ରାସଙ୍ଗିକତା, ସ୍ୱାଧୀନତା ସଂଗ୍ରାମରେ ଏହାର ପ୍ରୟୋଗ ଓ ସଫଳତା ଉପରେ ଆଲୋଚନା କରିଥିଲେ। ଏଥିସହ ବିଶ୍ୱ ପୁଞ୍ଜିବାଦର ପ୍ରଭାବରେ ଶ୍ରମଜୀବୀ ମଣିଷଙ୍କ ଆର୍ଥିକ ସ୍ଥିତି, ଭାରତରେ ସାମ୍ପ୍ରଦାୟିକ ବିଭାଜନ ରାଜନୀତି, ଭୋଟର ତାଲିକାକୁ ନେଇ ବିଭିନ୍ନ ପ୍ରଶ୍ନ, ନାଥୁରାମ ଗଡସେଙ୍କୁ ନେଇ ଚାଲିଥିବା ଆଲୋଚନା ଆଦି ପ୍ରସଙ୍ଗ ଉଠାଇଥିଲେ। ଏସବୁ ଗାନ୍ଧୀବାଦୀ ମତାଦର୍ଶ ଉପରେ ପ୍ରଭାବ ପକାଉଥିବା ସହ ଭାରତର ଆତ୍ମିକ ସତ୍ତାକୁ ପ୍ରଭାବିତ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଗାନ୍ଧୀବାଦର ସୁରକ୍ଷା ଓ କୃଷିକ୍ଷେତ୍ରର ପୁନରୁତ୍ଥାନ ପାଇଁ ସଘନ ଜୈବ କୃଷି ଏବଂ ଆତ୍ମନିର୍ଭରଶୀଳ ପାରମ୍ପରିକ କୃଷି ପଦ୍ଧତିର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ଟ୍ରଷ୍ଟର ଅନ୍ୟତମ ପ୍ରବକ୍ତା ଅଧିବକ୍ତା ମୃଗାଙ୍କମୌଳି ପଟ୍ଟନାୟକ।

କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ୟୋକ୍ତା ପ୍ରଗତିଶୀଳ ଅଧିବକ୍ତା ଶରତଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ଦେଇ ଅବହେଳିତ ମାଳ ଅଞ୍ଚଳର ପ୍ରଗତିକାମୀ ଶତାଧିକ ନାରୀ ଓ ପୁରୁଷଙ୍କୁ ଚେତନଶୀଳ ଭାବେ ପରିବର୍ତ୍ତନର ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।

ଅତିଥି ଭାବେ ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବୟିତ୍ରୀ ବସିରନ୍ ବିବି, ବିଶିଷ୍ଟ ବାମପନ୍ଥୀ ନେତା ତଥା ସାହିତ୍ୟିକ ବିଶ୍ୱନାଥ ମହାପାତ୍ର ଓ ଶିକ୍ଷାବିତ୍ ଉମର୍ ମଲ୍ଲିକ ପ୍ରମୁଖ ଯୋଗଦେଇ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିବା ସହ ଏହି ବାର୍ତ୍ତାର ପ୍ରଚାର ଓ ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ।

‘ମାଟିର ସ୍ୱର’ର ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଚମଡ଼ା ଶିଳ୍ପ କାରିଗର ଖେଡୁଭାଇ ଓ ଜଣେ ସଫଳ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts