ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ

ଟାକରା ନୂତନ ପାୱାର ଗ୍ରୀଡ୍ କାର୍ଯ୍ୟକ୍ଷମ କରିବାକୁ ଦାବି, ଆମ୍ବୁଲାନ୍ସ ଓ ଦମକଳ ସେବାକୁ ମିଳିବ ଛାଡ଼

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲଟେଜ୍ ସମସ୍ୟା ଓ ମନମୁଖୀ ବିଦ୍ୟୁତ ବିଲ୍ ଆଦାୟର ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ସଂଘ, ଦଶପଲ୍ଲା ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ଡାକରା ଦିଆଯାଇଛି।  ସଂଘର କହିବାନୁସାରେ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାଧାରଣ ଲୋକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ କୃଷକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଟାକରା ନିକଟରେ ନିର୍ମାଣ ଶେଷ ହୋଇଥିବା ନୂତନ ପାୱାର ଗ୍ରୀଡ୍‌କୁ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସଂଘ ଦାବି କରିଛି।

ସଂଘ ଅଭିଯୋଗ କରିଛି ଯେ, ଏହି ସମସ୍ୟା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୭୦୦ରୁ ଅଧିକ ପୋଷ୍ଟକାର୍ଡ ମାଧ୍ୟମରେ ଦାବିପତ୍ର ପଠାଯାଇଥିଲେ ମଧ୍ୟ କୌଣସି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ବାଧ୍ୟ ହୋଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ବନ୍ଦ ସମୟରେ ଦଶପଲ୍ଲା ସହ ଆଖପାଖ ଅଞ୍ଚଳର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସଂଘ ସୂଚନା ଦେଇଛି। ତେବେ ଆମ୍ବୁଲାନ୍ସ, ଦମକଳ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ, ବନ୍ଦ ପରେ ମଧ୍ୟ ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଆହୁରି କଠୋର ଆନ୍ଦୋଳନ ଓ ଚରମ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଦ୍ୟୁତ ଉପଭୋକ୍ତା ସଂଘ ଚେତାବନୀ ଦେଇଛି।

Related posts