ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

ରଣପୁର,(ନୟାଗଡ଼ ଦର୍ପଣ): ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଆଜି ରଣପୁର ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିବା ସହ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କରିଛନ୍ତି। ଏହା ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୂତନ ଅଗ୍ନିଶମ ଯାନ ଦ୍ୱାରା ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ଓ ଦକ୍ଷତାର ସହ ଉଦ୍ଧାର ଓ ନିରାକରଣ କାର୍ଯ୍ୟ କରିବା ସମ୍ଭବ ହେବ। ଏହା ଅଞ୍ଚଳରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବ। ଏହି ଅବସରରେ ବାଚସ୍ପତି ଅଗ୍ନିଶମ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଦିଗରେ ସେମାନଙ୍କର ନିଷ୍ଠା, ସାହସ ଓ ସମର୍ପଣ ଭାବନାର ଉଚ୍ଚ ପ୍ରଶଂସା କରିଥିଲେ।

ଅଞ୍ଚଳର ଯୁବପିଢ଼ିଙ୍କୁ ସନ୍ତରଣ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଏବଂ ସନ୍ତରଣ ଉପକରଣ ଯୋଗାଇଦେବା ଉପରେ ମାନ୍ୟବର ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଅଞ୍ଚଳର ଯୁବତୀମାନଙ୍କୁ ସନ୍ତରଣ ପ୍ରଶିକ୍ଷଣ ପ୍ରଦାନ ଉପରେ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା ସ୍ଥାନୀୟ ଯୁବକଯୁବତୀଙ୍କ ମଧ୍ୟରେ ଜଳ ସୁରକ୍ଷା ଜନିତ ସଚେତନତା ବୃଦ୍ଧି ପାଇବା ସହ ଜଳ ଉଦ୍ଧାର କାର୍ଯ୍ୟରେ ଅଞ୍ଚଳର ଦକ୍ଷତା ଓ ପ୍ରସ୍ତୁତି ଅଧିକ ସୁଦୃଢ଼ ହୋଇପାରିବ। ଏଥିସହ ରଣପୁର ଅଗ୍ନିଶମ କେନ୍ଦ୍ରର ଭିତ୍ତିଭୂମି ଓ ବିକାଶମୂଳକ କାର୍ଯ୍ୟ ନିମନ୍ତେ ମାନ୍ୟବର ବାଚସ୍ପତି ନିଜ ବିଧାୟକ ପାଣ୍ଠି (MLA-LAD)ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ।

ଅଗ୍ନିଶମ କର୍ମଚାରୀମାନଙ୍କ କଲ୍ୟାଣ ଓ ସେମାନଙ୍କ ପରିବାରର ସୁବିଧା ପ୍ରତି ଦୃଷ୍ଟି ଦେଇ ମାନ୍ୟବର ବାଚସ୍ପତି କର୍ମଚାରୀମାନଙ୍କ ଆବାସିକ ପରିସରରେ ସେମାନଙ୍କ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଘୋଷଣା କରିଥିଲେ। ଏହା ଅଗ୍ନିଶମ କର୍ମଚାରୀଙ୍କ ପରିବାରର କଲ୍ୟାଣ ସହ ପିଲାମାନଙ୍କ ପାଇଁ ଏକ ଉନ୍ନତ ଓ ସୁବିଧାଜନକ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ସେବା ଓ ହୋମଗାର୍ଡର ଆଇଜି ଡ. ଉମାଶଙ୍କର ଦାଶ ଉପସ୍ଥିତ ରହିଥିଲେ। ଏହା ସହିତ ଅଗ୍ନିଶମ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ। ରାଜ୍ୟରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଭିତ୍ତିଭୂମିର ବିକାଶ, ଆଧୁନିକ ଉପକରଣର ଉପଲବ୍ଧତା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ଜନସାଧାରଣଙ୍କୁ ତ୍ୱରିତ ଓ ଉନ୍ନତ ସେବା ଯୋଗାଇଦେବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିରନ୍ତର ପ୍ରୟାସ ଜାରି ରଖିଛି।

Related posts