ମାଳିସାହି ସରସ୍ବତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ଅପୂର୍ବ  ସମନ୍ଵୟ ମଧ୍ୟରେ ଆନନ୍ଦ, ଉଲ୍ଲାସ ଓ ଉଦ୍ଦୀପନା ସହ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଉତ୍ସବରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ନୟାଗଡ ସଦର ଥାନାର ଆଇ. ଆଇ. ସି ପ୍ରିୟତମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଲକ୍ଷ୍ମୀଧର ସାହୁ ଯୋଗଦେଇଥିଲେ। ଅବସର ପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ, ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ଚରିତ୍ର ଗଠନ ଓ ଭାରତୀୟ ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷା କେବଳ ପୁସ୍ତକର ପୃଷ୍ଠା ମଧ୍ୟରେ ସୀମାବଦ୍ଧ ନୁହେଁ, ବରଂ ଏହା ମଣିଷ ଜୀବନକୁ ଆଲୋକିତ କରିବା ସହ ଜଣେ ଆଦର୍ଶ ନାଗରିକ ଗଢିବାର ଶ୍ରେଷ୍ଠ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ପରିଶେଷରେ ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା ଓ ଅଭିଭାବକମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଜଣାଇଛନ୍ତି।

Related posts