ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଡାଇମଣ୍ଡ ଜୁବୁଲି ଅଡିଟୋରିୟମ ଠାରେ ଜିଲ୍ଲା ପ୍ରଶାସନ, ନୟାଗଡ଼ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଅଭିଯାନର ଅଂଶବିଶେଷ ଭାବେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ବାର୍ତ୍ତା ଥିଲା ‘ପ୍ରଗତିର ସାରଥୀ… ଆମ ଯୁବ ଶକ୍ତି’।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ବୁଦ୍ଧିଜୀବୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଜିଲ୍ଲାର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ।
୧୫ରୁ ୨୯ ବର୍ଷ ବୟସର ଯୁବପ୍ରତିଭାମାନଙ୍କୁ ନେଇ ଆୟୋଜିତ ଏହି ମହୋତ୍ସବରେ ଲୋକନୃତ୍ୟ, ଲୋକସଙ୍ଗୀତ, ନୁକ୍କଡ଼ ନାଟକ, ଚିତ୍ରାଙ୍କନ ଓ କବିତା ଲିଖନ ଆଦି ପାଞ୍ଚଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା। ନୁକ୍କଡ଼ ନାଟକର ବିଷୟବସ୍ତୁ ‘ନିଶାମୁକ୍ତ ଯୁବ ସମାଜ ଓ ବିକଶିତ ଭାରତ’ ରଖାଯାଇଥିବା ବେଳେ ଚିତ୍ରାଙ୍କନ ଓ କବିତା ଲିଖନ ମାଧ୍ୟମରେ ପ୍ରତିଯୋଗୀମାନେ ନିଜର ସୃଜନଶୀଳତା ପ୍ରଦର୍ଶନ କରିଥିଲେ।
ଦଳଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୧୦,୦୦୦, ୭,୫୦୦ ଓ ୫,୦୦୦ ଟଙ୍କା ପୁରସ୍କାର ରାଶି ରହିଥିବା ବେଳେ ବ୍ୟକ୍ତିଗତ ପ୍ରତିଯୋଗିତାରେ ଯଥାକ୍ରମେ ୩,୦୦୦, ୨,୦୦୦ ଓ ୧,୦୦୦ ଟଙ୍କା ପୁରସ୍କାର ରାଶି ରହିଥିଲା ଏବଂ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ଦୁଇ ଗୋଟି ଦଳ (ନୁକ୍କଡ଼ ନାଟକରୁ ଶ୍ରେଷ୍ଠ ଏକ ଗୋଟି ଦଳ) ରାଜ୍ୟସ୍ତରୀୟ ଯୁବୋତ୍ସବରେ ଅଂଶ ଗ୍ରହଣ କରିବେ।
ଏହି ଯୁବୋତ୍ସବ ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ସୃଜନଶୀଳତା, ସାଂସ୍କୃତିକ ଚେତନା ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଏଥିସହ ଉପସ୍ଥିତ ଥିବା ଅତିଥିମାନେ ନିଜ ନିଜର ଅଭିଭାଷଣରେ ନିଶାମୁକ୍ତ ସମାଜ ଗଠନ ଏବଂ ଯୁବଶକ୍ତିର ସକ୍ରିୟ ଅବଦାନ ମାଧ୍ୟମରେ ବିକଶିତ ଭାରତ ଗଠନ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ ପ୍ରତ୍ୟକ୍ଷ ଭାବେ ସମ୍ପାଦନା କରିଥିବା ବେଳେ ଶରତ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ।
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ- ୨୦୨୬ ଅନୁଷ୍ଠିତ
