ଶତାୟୁ ଜଳଧରଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଗ୍ରାମର ସ୍ବର୍ଗତ ଜଳଧର ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ତା୨୬.୦୭.୨୦୨୬ରିଖ ପବିତ୍ର ଭଗବତ ଜନ୍ମ ତିଥିରେ ସ୍ମୃତି ଚାରଣ ସହ ଏକ ସ୍ମରଣିକା ‘ଗାଁ ବୟଃଜେଷ୍ଠ’ ଉନ୍ମୋଚନ ହୋଇଥିଲା। ଗତବର୍ଷ ୧୦୭ ବର୍ଷ ବୟସରେ ଆଜିର ତିଥିରେ ସ୍ବର୍ଗତ ଜଳଧର ରାଉତରାୟ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ, ନୟାଗଡ଼ ଡକ୍ଟର ହାଡିବନ୍ଧୁ ରାଉତରାୟ ଓ ଭଣଜା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସହଯୋଗରେ ନରସିଂହପୁର ଗ୍ରାମରେ ତାଙ୍କ ବାସଭବନଠାରେ ଏକ ସ୍ତୁତି ଚାରଣ ସଭାର ଆୟୋଜନ କରାଯାଇଥିଲା। ଆଞ୍ଚଳିକ ପୂଜ୍ୟ ପୂଜା ପରିଷଦ, ଚାନ୍ଦପୁରର ସଭାପତି ଖାଉଟି ଅଦାଲତର ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ସଭାପତିତ୍ବ କରିଥିଲେ। ଅବସରପ୍ରାପ୍ତ କୁହୁଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଳକୃଷ୍ଣ ମହାପାତ୍ର, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ପାତ୍ର, ସଂସ୍କୃତ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସାଥୁଆ, ବିଶିଷ୍ଟ ଘୁଡୁକି ବାଦକ ସୁରେନ୍ଦ୍ର କୁମାର ପରିଡା, ସମସ୍ତ ବନ୍ଧୁ ବାନ୍ଧବ ତଥା ଗ୍ରାମର ବିଶିଷ୍ଟ ବ୍ୟକ୍ତିତ୍ବ ଗଣ ଏହି ସଭାରେ ଯୋଗଦେଇ ସ୍ବର୍ଗତ ଜଳଧର ରାଉତରାୟଙ୍କ ସ୍ତୁତି ଚାରଣ କରିଥିଲେ। ଜଣେ ସାଧାରଣ କୃଷକ ହୋଇ ମଧ୍ୟ ତାଙ୍କର ଅକ୍ଳାନ୍ତ ପରିଶ୍ରମରେ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ହାଡିବନ୍ଧୁ ରାଉତରାୟଙ୍କୁ ରଣପୁର ଅଞ୍ଚଳରେ ପ୍ରଥମ ଡାକ୍ତର ତଥା ସାନ ପୁଅ ସଦାଶିବ ରାଉତରାୟ ଙ୍କୁ ଜଣେ ସ୍ବାସ୍ଥ୍ୟକର୍ମୀ ଭାବରେ ସମାଜରେ ପ୍ରତିଷ୍ଠିତ କରିପାରିଥିଲେ।ପୁଅ ବୋହୁ ଝିଅ ଜ୍ବାଇଁ,ନାତି ନାତୁଣୀ ଭଣଜା ଭାଣିଜି ତଥା ସମସ୍ତ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କର ଜଣେ ଅତି ପ୍ରିୟ ମଣିଷ ଥିଲେ। ଜଣେ ନିରୋଗୀ,ମେଳାପି, ବନ୍ଧୁ ବତ୍ସଳ ବ୍ୟକ୍ତିତ୍ଵ ଭାବରେ ଅଞ୍ଚଳରେ ଜଣାଶୁଣା ଥିଲେ। ସୁପୁତ୍ର ହାଡିବନ୍ଧୁ ରାଉତରାୟ ଓ ଭଣଜା ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସହଯୋଗରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା “ଗାଁ ଵୟଃଜ୍ଯେଷ୍ଠ” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପରିଶେଷରେ ଡକ୍ଟର ହାଡିବନ୍ଧୁ ରାଉତରାୟ ପିତାଙ୍କ ସ୍ମୃତି ଚାରଣ କରିଥିବା ଅତିଥି ମାନଙ୍କୁ ସଭାରେ ଵହୁମୁଲ୍ଯ ସମୟ ସହ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ସଭାର ସାଫଲ୍ୟ ମଣ୍ଡିତ କରିଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

Related posts