ନୟାଗଡ଼, (ନୟାଗଡ଼ ଦର୍ପଣ): ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ପରିସରରେ ଆୟୋଜିତ ହୋଇଥିବା ସ୍ମୃତି ପୁରସ୍କାର ଓ ଶିଶୁ ଦିବସ ସମାରୋହ ଅବସରରେ ବିଦ୍ୟାଳୟର ଦୁଇଜଣ ଛାତ୍ର ପୂର୍ଣ୍ଣଚନ୍ଦ୍ର ସାହୁ, ଆଶୁତୋଷ ମହାରଣା ଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ନୀଳମଣି ସାହୁ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶରତ ଚନ୍ଦ୍ର ସାହୁ, ସଂପାଦକ ଜଗନ୍ନାଥ ଦାସ, ପ୍ରାକ୍ତନ ଛାତ୍ର ଉମେଶ ପଟ୍ଟନାୟକ ଓ ମାଗୁଣି ଚରଣ ଖଣ୍ଡା ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି କୈଳାସ ପ୍ରଧାନ,ଉପସଭାପତି ଗୀତାଞ୍ଜଳି ବିଶ୍ୱାଳ ଯୋଗଦେଇ ଦୁଇ ଛାତ୍ର ଙ୍କୁ ପୁରସ୍କାର ସ୍ୱରୂପ ମେମେଣ୍ଟୋ ଏବଂ ଅଢେଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ସ୍ୱର୍ଗତ ନୀଳମଣି ସାହୁ ଏହି ବିଦ୍ୟାଳୟର ୧୯୬୯ ମସିହାର ଛାତ୍ର ଥିବାବେଳେ ବାଣିଜ୍ୟ ବିଭାଗର ଜଣେ ଆଦର୍ଶ ପ୍ରଫେସର ଭାବେ ଦୀର୍ଘଦିନ କାର୍ଯ୍ୟ କରିଥିଲେ। ତାଙ୍କ ଦେହାନ୍ତ ପରେ ସ୍ତ୍ରୀ ଚିତ୍ରଲେଖା ସାହୁଙ୍କ ଆଗ୍ରହ ଯୋଗୁଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅତିଥିମାନେ ଶିଶୁ ଦିବସର ମହତ୍ତ୍ବ ଏବଂ ସାଂପ୍ରତିକ ସମୟରେ ଶିକ୍ଷା ତଥା ବିଦ୍ୟାର୍ଥୀଙ୍କ ମାନସିକତା ଆଧାରିତ ଉପଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସିମରନ ବିଶ୍ୱାଳ, ସରସ୍ୱତୀ ସ୍ୱାଇଁ ଙ୍କୁ ପ୍ରଭାବଶାଳୀ ବକ୍ତବ୍ୟ ପାଇଁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
ଦୁଇ କୃତି ଛାତ୍ର ପାଇଲେ “ନୀଳମଣି ସାହୁ ସ୍ମୃତି” ପୁରସ୍କାର
