ମନ ମୋହିଲା ନାଟକ ‘କୁଆଁରୀ କୋଠି’, ଭରପୂର ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବାନ୍ଧି ରଖିଲା ନାଟକର କାହାଣୀ ଓ ଅଭିନୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ଆନୁକୂଲ୍ୟରେ ଗତ ୧୫ ନଭେମ୍ବର ସନ୍ଧ୍ୟାରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମଠାରେ କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ ହୋଇଯାଇଛି। ଦର୍ଶକଙ୍କ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପ୍ରେକ୍ଷାଳୟ ଶେଷ ପର୍ଯ୍ୟନ୍ତ ଭରପୂର ରହିଥିବାବେଳେ ନାଟକଟି ଦର୍ଶକଙ୍କ ମନ ମୋହିଥିଲା।
ସମାଜର ଉଚ୍ଚସ୍ତରରେ ଅବସ୍ଥାପିତ ମଙ୍ଗୁଆଳମାନଙ୍କ ଅନ୍ତର୍ନିହିତ ସୁବିଧାବାଦୀ ଚରିତ୍ର, ସରଳ ଆଦିବାସୀ ଜୀବନର ଅବ୍ୟକ୍ତ ବେଦନା, ଚରମପନ୍ଥୀ ବାମ ବିଚ୍ୟୁତିର ବିଭ୍ରାନ୍ତି, ଶୋଷଣଭିତ୍ତିକ ସାମାଜିକ ବ୍ୟବସ୍ଥାର ବିକୃତି ଏବଂ ଅର୍ଥ ଲୋଭରେ ଅଭାବୀ ଯୁବମାନସର ଠକ ପ୍ରବୃତ୍ତି ଭଳି ସମ୍ବେଦନଶୀଳ ବିଷୟବସ୍ତୁ ନାଟକରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଥିଲା। ଏଥିସହିତ ‘କୁଆଁରୀ କୋଠି’ର ଅହେତୁକ ଓ ରହସ୍ୟମୟ ଅଜଣା ସ୍ୱରକୁ ନେଇ ସୃଷ୍ଟି ହୋଇଥିବା ଭୟ ଓ ଉତ୍କଣ୍ଠା ନାଟକକୁ ଅଧିକ ରୋଚକ ଓ ଗତିଶୀଳ କରିଥିଲା। ନାଟକର ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ଆଗ୍ରହ ଅକ୍ଷୁଣ୍ଣ ରହିଥିଲା।
ଗଦାଧର ନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏବଂ ପ୍ରମୋଦ ପଟ୍ଟନାୟକଙ୍କ ପ୍ରଯୋଜନାରେ ଆୟୋଜିତ ଏହି ନାଟକକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।
ନାଟକର ଶବ୍ଦ ଓ ଆଲୋକ ସଂଚାଳନ ଦାୟିତ୍ୱ ବିପି ସାଉଣ୍ଡ, ସଙ୍ଗୀତ ପରିଚାଳନା ଶକ୍ତି ପ୍ରସାଦ ମିଶ୍ର ଏବଂ ମଞ୍ଚ ପରିଚାଳନା ବାସୁଦେବ ମିଶ୍ର, ଅଶୋକ ମଲ୍ଲ ଓ ଭାଗିରଥି ମହାରଣା ପ୍ରମୁଖ ଦକ୍ଷତାର ସହ ସମ୍ପାଦନ କରିଥିଲେ।
ବିଭିନ୍ନ ଚରିତ୍ରରେ ମିଷ୍ଟର କାଳିଆ, ଦେବେନ୍ଦ୍ର, ଅନ୍ତର୍ଯ୍ୟାମୀ, ସଞ୍ଜୟ, ରବୀନ୍ଦ୍ର, ପ୍ରତାପ, ଲକି, ନିରଞ୍ଜନ, ପ୍ରଦୀପ, ସୁଦର୍ଶନ, ଗୋପୀନାଥ, ରାଜେଶ, ଯଜ୍ଞନାରାୟଣ, ନୀଳିମା, କଣ୍ଢେଇ ଓ ମୀରା ପ୍ରମୁଖ କଳାକାର ନିଜ ନିଜର ଅଭିନୟ ମାଧ୍ୟମରେ ନାଟକକୁ ଜୀବନ୍ତ କରିଥିଲେ।
ଶେଷରେ ନାଟକ ପୁସ୍ତକର ପ୍ରକାଶକ ଶରତଚନ୍ଦ୍ର ବେହେରା ସମସ୍ତ କଳାକାର, ଆୟୋଜକ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts