ସୀତାନାଥ ବସ୍ତିରେ ଶିଶୁ ଦିବସ ପାଳନ କଲା ଯଶୋଦା ମା’ ଫାଉଣ୍ଡେସନ

ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ଯଶୋଦା ମା’ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର ନୀଳାଦ୍ରି ବିହାରସ୍ଥିତ ସୀତାନାଥ ବସ୍ତିରେ ବର୍ଣ୍ଣବୋଧ ପାଠଶାଳାର ଶିଶୁମାନଙ୍କୁ ନେଇ ଆନନ୍ଦ ଓ ଉତ୍ସାହର ସହ ଶିଶୁ ଦିବସ ପାଳନ କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଅବସରରେ ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଏବଂ ଅତୁଟ ବନ୍ଧନର ପ୍ରତିଷ୍ଠାତା ପ୍ରୀତିଶ ଚନ୍ଦ୍ର ବାସା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ମାନସ ରଞ୍ଜନ ସ୍ୱାଇଁ, ବ୍ଲୁ ବେଲ୍‌ର ପରିଚାଳନା ମୁଖ୍ୟ ସନ୍ତୋଷ ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷା ତଥା ଲେଖିକା ରେବତୀ ଦେବୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପଣ୍ଡା, ମାରୱାଡ଼ି ମହିଳା ସଂଘର ସଭାନେତ୍ରୀ ମଞ୍ଜୁଲତା ଅଗ୍ରୱାଲ ଓ ସମାଜସେବୀ ସରୋଜ ମଲ୍ଲିକ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।
ଯଶୋଦା ମା’ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ନିବେଦିତା ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ ମଞ୍ଚ ପରିଚାଳନା କରିଥିଲେ। ବିଶିଷ୍ଟ ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବର୍ଣ୍ଣବୋଧ ପାଠଶାଳାର ଗୁରୁମାମାନଙ୍କୁ ସମ୍ମାନିତ କରାଯାଇଥିଲା। ଶିଶୁମାନଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତର ଆସର ଜମିଥିବା ବେଳେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବାର ଏହି ପ୍ରୟାସକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ।

Related posts