ନୟାଗଡ଼,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ମୂଳ ଡାକ ବଙ୍ଗଳା ପରିସରରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ସମାବେଶ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ଭାବେ ପ୍ରମୋଦ ପଟ୍ଟନାୟକ ପୁନର୍ବାର ନିର୍ବାଚିତ ହୋଇଛନ୍ତି।
ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଓ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଏବଂ ମହାନଦୀ ଉପରେ ଡିମିରିଆ-ରାଉତପଡ଼ା ବ୍ୟାରେଜ ଯୋଜନାର ଶୁଭାରମ୍ଭ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିସହ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଓ ପେନସନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସାମ୍ବାଦିକମାନଙ୍କ ଦୁର୍ଦ୍ଦିନରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ସଂଘ ପକ୍ଷରୁ ଗୁରୁତର ଅସୁସ୍ଥ ସାମ୍ବାଦିକଙ୍କୁ ୪ ହଜାର ଟଙ୍କା ଆର୍ଥିକ ସହାୟତା ଏବଂ କୌଣସି ସାମ୍ବାଦିକଙ୍କ ଦେହାନ୍ତ ହେଲେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯାଉଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା।
ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ସମ୍ମାନଜନକ ଡକ୍ଟରେଟ ଉପାଧି ହାସଲ କରିଥିବା ଡ. ହରିଶ ପ୍ରଧାନଙ୍କୁ ସଂଘ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ବୈଠକ ପୂର୍ବରୁ ସାମ୍ବାଦିକମାନେ ମହାନଦୀରେ ବୋଟ୍ ପରିଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ଉଠାଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇ ଆପୋଷ ଭାବ ବିନିମୟ ସହ ସାଂଗଠନିକ ଏକତାର ବାର୍ତ୍ତା ଦେଇଥିଲେ।
ବଡ଼ମୂଳରେ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ, ପୁନର୍ବାର ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ
