ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ: ୪୬ଟି ପ୍ରକଳ୍ପ ପ୍ରଦର୍ଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): :ଛାତ୍ରଛାତ୍ରୀମାନଙ୍କ ଭିତରେ ଲୁଚି ରହିଥିବା ବୈଜ୍ଞାନିକ ପ୍ରତିଭା ଏବଂ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସ୍ଥାନୀୟ ପିଏମଶ୍ରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ  ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ଆଲୁମନି କମିଟିର ସଭାପତି ଲକ୍ଷ୍ମୀଧର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋଟ ୪୬ଟି ସୃଜନଶୀଳ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ଜୁନିଅର ବିଭାଗରୁ ୩୨ଟି ପ୍ରକଳ୍ପ ଏବଂ ସିନିଅର ବିଭାଗରୁ ୧୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ବରିଷ୍ଠ ବିଜ୍ଞାନ ଶିକ୍ଷକ ମାନସ ରଞ୍ଜନ ଷଡ଼ଙ୍ଗୀ ଏବଂ ରାଜେଶ୍ୱରୀ ବେହେରା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।ପରେ ବିଦ୍ୟାଳୟ ସଭାଗୃହରେ ସାଧାରଣ ସଭା ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ସଭାପତି ରାଜକିଶୋର ମହାପାତ୍ର, ବରିଷ୍ଠ ବିଜ୍ଞାନ ଶିକ୍ଷକ ମାନସ ରଞ୍ଜନ ଷଡ଼ଙ୍ଗୀ ଏବଂ ରାଜେଶ୍ୱରୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମାନସିକତା ଏବଂ କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଛାତ୍ରୀ ସାଇଶ୍ରୀ ସାମନ୍ତରାୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କର ମନ ମୋହିଥିଲେ।
ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରୋଜାଲିନ ମିଶ୍ର, କାଦମ୍ବିନୀ କରଣ, ଅନୁସୟା ମିଶ୍ର ଏବଂ ସୁନିତା ନାୟକ ସମସ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।

Related posts