ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍ ପକ୍ଷରୁ ଶିଶୁ ଦିବସ ପାଳିତ

ଇଟାମାଟି,(ନୟାଗଡ଼ ଦର୍ପଣ): ଶିଶୁଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଇଟାମାଟିସ୍ଥିତ ‘ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍’ ପକ୍ଷରୁ IMMS କଲେଜ, ଜ୍ୟୋତିବିହାର, ଇଟାମାଟିର ସହଯୋଗରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଚାରକ ଭାବେ ଡ. ସୁକାନ୍ତି ମହାନ୍ତି, ଡ. ହରିବନ୍ଧୁ ଦାଶ, ବିମ୍ବାଧର ସାଥୁଆ, ମୀନକେତନ ଷଡ଼ଙ୍ଗୀ, ଉମାକାନ୍ତ ଦାଶ ଓ ମହେଶ ଚନ୍ଦ୍ର ଜୟସିଂ ଦାୟିତ୍ୱ ତୁଲାଇଥିଲେ।

ପ୍ରବନ୍ଧ ପ୍ରତିଯୋଗିତାରେ ସମୀକ୍ଷା ପୃଷ୍ଟି, ବିଷ୍ଣୁପ୍ରିୟା ପ୍ରଧାନ ଓ ସୌମ୍ୟା ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ସୁଶ୍ରୀ ସଙ୍ଗୀତା ପ୍ରଧାନ, ବୈଷ୍ଣବୀ ଦେବୀ ଓ ସୃଷ୍ଟି ଶୋଭିତା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ଚିତ୍ରାଙ୍କନରେ ନୀଳିମା ସାଗରିକା, ନୀତିନ କୁମାର ସାହୁ ଓ ଅଶ୍ୱିନୀ କୁମାର ଭୂୟାଁ କୃତିତ୍ୱ ହାସଲ କରିଥିଲେ।
ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍‌ର ସଭାପତି ଭାଗିରଥୀ ବାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡ. ସୁକାନ୍ତି ମହାନ୍ତି, ସୁଦର୍ଶନ ଦାଶ, ଶରତ ମଙ୍ଗରାଜ, ବାଞ୍ଛାନିଧି ବେହେରା, ସଞ୍ଜିତ ରୋଶନ ପଟ୍ଟନାୟକ ଓ କୃପାସିନ୍ଧୁ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ, “ଶିଶୁ ହସିଲେ ଜଗତ ହସେ।” ଆଜିର ଶିଶୁ ଆସନ୍ତାକାଲିର ନାଗରିକ ତଥା ଦେଶର ମେରୁଦଣ୍ଡ। ତେଣୁ ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା, ସଂସ୍କାର ଓ ମାର୍ଗଦର୍ଶନ ଦେଇ ସୁନାଗରିକ ଭାବେ ଗଢ଼ି ତୋଳିବା ପ୍ରତ୍ୟେକଙ୍କର ଦାୟିତ୍ୱ।
କାର୍ଯ୍ୟକ୍ରମରେ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ଅଶ୍ୱିନୀ କୁମାର ସେଠୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ଗୋଲଖ ଭାଇ ସଭା ସଂଯୋଜନା କରିଥିବା ବେଳେ ନିକୁଲ୍‌ର ସମ୍ପାଦକ ଦିଲ୍ଲୀପ ସାହୁ, ବାବୁଲ ଦାସ, ଶରତ ଦାସ, ପ୍ରକାଶ ଖୁଣ୍ଟିଆ ଓ ଦେବରାଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ।
ସଭାପତି ଭାଗିରଥୀ ବାଇଙ୍କ ଏଭଳି ଶିଶୁପ୍ରତିଭା ବିକାଶମୂଳକ ଉଦ୍ୟମକୁ ଅତିଥି ଓ ଉପସ୍ଥିତ ଜନସାଧାରଣ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ସଭାପତି ଭାଗିରଥୀ ବାଇ ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍‌ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଶିଶୁମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Related posts