ନୟାଗଡ଼ ମଧୁବନ ଡକାୟତି ଘଟଣାର ପର୍ଦ୍ଦାଫାସ୍, ଜଣେ ଗିରଫ

ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ଜବତ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ମଧୁବନ (ସୀତାରାମପୁର) ଗ୍ରାମରେ ଘଟିଥିବା ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଘରୁ କିଛି ସୁନା ଓ ରୁପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଜବତ କରିଛି ପୋଲିସ।

ପୋଲିସ ସୂଚନା ଅନୁଯାୟୀ, ମଧୁବନ ଗ୍ରାମର ବୈକୁଣ୍ଠ ସାହୁଙ୍କ ପୁଅ ଶରତ ସାହୁ (୩୮) ଗତ ଅକ୍ଟୋବର ୨୮ ଓ ୨୯ ତାରିଖ ମଧ୍ୟ ରାତିରେ ପରିବାର ସହ ଘରେ ଶୋଇଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ଘରର କବାଟ ଗ୍ରିଲ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେମାନେ ଘରୁ ୨ଟି ସୁନା ମାଳି, ଗୋଟିଏ ସୁନା ଚେନ୍, ୫ଟି ସୁନା ମୁଦି, ୪ ହଳ ରୁପା ପାଉଁଜି, ଗୋଟିଏ ହଳ ସୁନା କାନଫୁଲ ଓ ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିଲେ। ଏଥିସହ ପରିବାର ସଦସ୍ୟଙ୍କୁ ଆକ୍ରମଣ କରି ଦୁଇଟି ମୋବାଇଲ ଫୋନ୍ ମଧ୍ୟ ନେଇଯାଇଥିଲେ।

ଏନେଇ ସଦର ଥାନାରେ କେସ୍ ନଂ ୨୬୦, ତାରିଖ ୨୯.୧୦.୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୧୦(୨) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ସମୟରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବୈଜ୍ଞାନିକ ଦଳ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲା। ଏଥିସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା।

ପୋଲିସ ପାଟ୍ରୋଲିଂ ସମୟରେ ବାଲୁଗାଁ ବଜାରରୁ ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ଗୁଣ୍ଡା ଓରଫ ଆକାଶ ନାଏକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା। ତାଙ୍କ ବୟାନ ଆଧାରରେ ଏହି ଡକାୟତି ଘଟଣାରେ ଅନ୍ୟ ସହଯୋଗୀମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସ ସୂଚନା ପାଇଥିଲା।

ଅଭିଯୁକ୍ତ ଆକାଶ ନାଏକଙ୍କ ଘରୁ ନଗଦ ୪୦ ହଜାର ଟଙ୍କା ସମେତ କିଛି ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରକୁ ଅଭିଯୋଗକାରୀ ଚିହ୍ନଟ କରିଥିବା ପୋଲିସ ସୂଚନା ଦେଇଛି।

ଏହି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ରକେଟ୍ ଓରଫ ସନ୍ତୋଷ ନାଏକ ଏବଂ ସୁନୀଲ ଦଳେଇଙ୍କୁ ଭୁବନେଶ୍ୱରର ଖାରବେଳନଗର ଥାନା ପୋଲିସ ଅନ୍ୟ ଏକ ରାହାଜାନି ମାମଲାରେ ଗିରଫ କରିଥିବା ଜଣାପଡ଼ିଛି। ଅନ୍ୟ ସହଯୋଗୀମାନେ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ଓ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପୋଲିସର ଚଢ଼ାଉ ଓ ପାଟ୍ରୋଲିଂ ଜାରି ରହିଛି। ଗିରଫ ଅଭିଯୁକ୍ତ ଆକାଶ ନାଏକଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଏହି ମାମଲାର ତଦନ୍ତ ଇନ୍ସପେକ୍ଟର ପ୍ରିୟତମା ପ୍ରଧାନ କରୁଛନ୍ତି।
ଜବତ ସାମଗ୍ରୀ:
ଗୋଟିଏ ହଳ ସୁନା ଝରା
ଗୋଟିଏ ହଳ ରୁପା ପାଉଁଜି
ନଗଦ ୪୦ ହଜାର ଟଙ୍କା
ଗୋଟିଏ ଭଙ୍ଗା ହାତଘଣ୍ଟା
OD-05-Q-7402 ନମ୍ବର ବିଶିଷ୍ଟ ଗୋଟିଏ ବାଇକ୍
୪ଟି ସୁନା ମୁଦି
ଗୋଟିଏ ରୁପା ଅଣ୍ଟାଝୁଲା

Related posts