ସଭାରେ ଉନ୍ମୋଚିତ ହେଲା ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ୨୨ତମ ପୁସ୍ତକ ‘ପ୍ରତିବିମ୍ବର ଶିଖା’
ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମପଞ୍ଚାୟତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସଂଘର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ସୋମବାର ଦିନ ସଂଘର ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡ. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇଟାମାଟି ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ, ସମାଜସେବୀ ପ୍ରଫୁଲ୍ଲ ସାହୁ ଓ ଆଇନଜୀବୀ ପ୍ରମୋଦ କୁମାର ବିଶ୍ୱାଳ ଯୋଗଦେଇଥିଲେ।

ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରବିନାରାୟଣ ପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ସଂଘର ବରିଷ୍ଠ ସଦସ୍ୟ ପ୍ରମୋଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ରାଜକିଶୋର ନାୟକ ବାର୍ଷିକ ବିବରଣୀ ପାଠ କରିବା ପରେ ସଭାପତି ଡ. ସୁକାନ୍ତି ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଡ. ସାମନ୍ତରାୟ ବରିଷ୍ଠ ନାଗରିକମାନଙ୍କୁ ଜାତୀୟ ସମ୍ପତ୍ତି ଭାବେ ଅଭିହିତ କରିବା ସହ ସେମାନଙ୍କ ଅଭିଜ୍ଞତା, ଜ୍ଞାନ ଓ ସମାଜ ପ୍ରତି ଅବଦାନକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ମତପ୍ରକାଶ କରିଥିଲେ।
ସଭାର ଅନ୍ୟତମ ଆକର୍ଷଣ ଥିଲା ସଂଘର ସଭାପତି ଡ. ସୁକାନ୍ତି ମହାନ୍ତିଙ୍କ ରଚିତ ୨୨ତମ ପୁସ୍ତକ ତଥା ଉପନ୍ୟାସ ‘ପ୍ରତିବିମ୍ବର ଶିଖା’ର ଉନ୍ମୋଚନ। ଏହି ପୁସ୍ତକ ଉନ୍ମୋଚନ ସଭାକୁ ଏକ ସାହିତ୍ୟିକ ମହତ୍ତ୍ୱ ପ୍ରଦାନ କରିଥିଲା।
ଏହି କାର୍ଯ୍ୟକ୍ରମରେ ସଂଘର ପ୍ରାୟ ୪୫ ଜଣ ସଦସ୍ୟ ଉପସ୍ଥିତ ରହି ସଭାର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ସଦସ୍ୟ ରମେଶ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତିଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା।
