ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିଭା ପ୍ରଦର୍ଶନ ପାଇଁ ବୟସ କେବେ ବି ପ୍ରତିବନ୍ଧକ ହୋଇନଥାଏ। ଏହାର ଏକ ଅଦ୍ଭୁତ ଉଦାହରଣ ପାଲଟିଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓ ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ଝିଅ ଜିଜ୍ଞାଂଶା ଜିୟାଂଶୀ ପ୍ରଧାନ। ମାତ୍ର ୧ ବର୍ଷ ୧୦ ମାସ ବୟସରେ ନିଜର ଅସାଧାରଣ ସ୍ମରଣଶକ୍ତି ଓ ଜ୍ଞାନକୌଶଳ ପ୍ରଦର୍ଶନ କରି ସେ ‘ଇଣ୍ଡିଆ ବୁକ ଅଫ ରେକଡ଼’ ମାନ୍ୟତା ହାସଲ କରିଛନ୍ତି।
୨୦୨୪ ଅକ୍ଟୋବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିବା ଜିଜ୍ଞାଂଶା ୨୦୨୬ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାତ୍ର ୧ ବର୍ଷ ୧୦ ମାସ ବୟସରେ ଏହି ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ।
ସେ ୧୬ ପ୍ରକାର ଆକୃତି, ୧୫ଟି ଜାତୀୟ ପ୍ରତୀକ, ୬ଟି ଋତୁ, ୮ଟି ଗ୍ରହ, ଶରୀରର ୨୩ଟି ଅଙ୍ଗ, ୨୪ ପ୍ରକାର ପନିପରିବା, ୨୩ ପ୍ରକାର ଫଳ, ୨୪ ପ୍ରକାର ବନ୍ୟଜନ୍ତୁ, ୨୧ ପ୍ରକାର ଗୃହପାଳିତ ପଶୁ, ୨୦ ପ୍ରକାର ପକ୍ଷୀ, ୨୪ ପ୍ରକାର ଫୁଲ, ୬ଟି ରଙ୍ଗ ଏବଂ ଅନ୍ୟ ୨୦ ପ୍ରକାର ଜୀବଙ୍କୁ ଚିହ୍ନିବାରେ ସକ୍ଷମ ହୋଇଛନ୍ତି।
ଏଥିସହ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷର ସହ ସମ୍ପୃକ୍ତ ଶବ୍ଦ କହିବା, ସପ୍ତାହର ସାତ ଦିନ ଓ ବର୍ଷର ବାର ମାସର ନାମ ଆବୃତ୍ତି କରିବା ସହ ଇଂରାଜୀ ଓ ଓଡ଼ିଆରେ ୧ରୁ ୧୮ ପର୍ଯ୍ୟନ୍ତ ସଂଖ୍ୟା ଗଣନା କରିବାର ଅଦ୍ଭୁତ ଦକ୍ଷତା ମଧ୍ୟ ରହିଛି ଏହି କୁନି ପ୍ରତିଭାଙ୍କର।
ଏତେ କମ୍ ବୟସରେ ଜିଜ୍ଞାଂଶାଙ୍କ ଏଭଳି ଅସାଧାରଣ ପ୍ରତିଭା ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ସଫଳତା ଶିଶୁ ପ୍ରତିଭାର ଅସୀମ ସମ୍ଭାବନାକୁ ପ୍ରତିପାଦିତ କରିବା ସହ ଆଗାମୀ ଦିନରେ ଉଜ୍ଜ୍ୱଳ ଭବିଷ୍ୟତର ଆଶା ସଞ୍ଚାର କରିଛି। ଜିଜ୍ଞାସାର ଏହି ସଫଳତାକୁ ନେଇ ସ୍ଥାନୀୟ ବାସିନ୍ଦା ଗର୍ବ ଅନୁଭବ କରିବା ସହ ତାକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।


