ରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ରୋହିବାଙ୍କ ଛାତ୍ରଛାତ୍ରୀଙ୍କ କମାଲ

ଜଳବାୟୁ ପରିବର୍ତ୍ତନ ଉପରେ କ୍ଷୁଦ୍ର ନାଟକ ପରିବେଷଣ କରି ସାଉଁଟିଲେ ପ୍ରଶଂସା

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିଭାର ପରିଚୟ ଦେବା ସହ ପରିବେଶ ସୁରକ୍ଷାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରସାର କରି ରାଜ୍ୟସ୍ତରରେ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ‘ଚେତନା’ ଶିବିରର ଚତୁର୍ଥ ଦିବସରେ ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ଏକ ସଚେତନତାମୂଳକ କ୍ଷୁଦ୍ର ନାଟକ ପରିବେଷଣ କରି ସେମାନେ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ଉଚ୍ଚ ପ୍ରଶଂସାର ପାତ୍ର ହୋଇଛନ୍ତି।

ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ରହିଥିଲା। ବୃକ୍ଷ କାଟିବା ପରିବର୍ତ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ, ଜଳର ଅପବ୍ୟବହାର ରୋକିବା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜନ କରି କପଡ଼ା ବ୍ୟାଗ୍ ବ୍ୟବହାର କରିବା ଏବଂ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରତ୍ୟେକ ଘରେ ସୋକ୍ ପିଟ୍ ନିର୍ମାଣ କରିବା ଭଳି ବିଷୟକୁ ନାଟକ ମାଧ୍ୟମରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥିଲା।

ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲାରୁ ମନୋନୀତ ହୋଇ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ୧୮ ଜଣ ଛାତ୍ରଛାତ୍ରୀ ଏହି ରାଜ୍ୟସ୍ତରୀୟ ଶିବିରରେ ଯୋଗଦେଇ ଆରମ୍ଭରୁ ହିଁ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଆସୁଛନ୍ତି।

ଶିବିରର ପ୍ରଥମ ଦିବସରେ ବର୍ଜ୍ୟବସ୍ତୁରୁ ଆକର୍ଷଣୀୟ ଓ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରି ସେମାନେ ନିଜର ସୃଜନଶୀଳତା ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ଦିବସରେ ଆଦିବାସୀ ନୃତ୍ୟ ମାଧ୍ୟମରେ ‘ଆମେ ନିଜେ ଜଙ୍ଗଲର ରକ୍ଷକ’ ବାର୍ତ୍ତା ଦେଇଥିଲେ।

ସେହିପରି ତୃତୀୟ ଦିବସରେ ବିଶ୍ୱପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼ର ପ୍ରଦର୍ଶନୀ ସହ ୨୫ ପ୍ରକାରର ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ପତ୍ର ଠୁଙ୍ଗାରେ ପରିବେଷଣ କରିଥିଲେ। ଏହି ନିଆରା ପ୍ରୟାସ ପାଇଁ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଉପସଭାପତି ତଥା ଓଡ଼ିଶା ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଦ୍ୱାରା ସେମାନେ ସମ୍ମାନିତ ହୋଇଥିଲେ।

ପାଠପଢ଼ା ସହ ସାମାଜିକ ସଚେତନତା, ପରିବେଶ ସୁରକ୍ଷା, ଲୋକକଳା ଓ ଓଡ଼ିଆ ଖାଦ୍ୟ ସଂସ୍କୃତିର ପ୍ରଚାରରେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଏହି ଛାତ୍ରଛାତ୍ରୀଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ। ସେମାନଙ୍କ ଏହି ସଫଳତା ନୟାଗଡ଼ ଜିଲ୍ଲାର ଶିକ୍ଷା ଓ ସାଂସ୍କୃତିକ ଗୌରବକୁ ଆହୁରି ଗୌରବାନ୍ୱିତ କରିଛି।

Related posts