ତୃତୀୟ ନୟନ ପକ୍ଷରୁ ଜୋରଦାର ପ୍ରସ୍ତୁତି, ନାଟ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ
ନୟାଗଡ଼, (ନୟାଗଡ଼ ଦର୍ପଣ): ନାଟକ ହେଉଛି ଜୀବନର ଅନେକ ଅକୁହା କଥାକୁ ମଞ୍ଚ ମାଧ୍ୟମରେ ଜୀବନ୍ତ କରିବାର ଏକ ସଶକ୍ତ କଳାମାଧ୍ୟମ। ଏହି କଳା ଓ ସଂସ୍କୃତିର ପରମ୍ପରାକୁ ଆଗେଇ ନେବା ପାଇଁ ନୟାଗଡ଼ର ପ୍ରଗତିଶୀଳ ନାଟ୍ୟାନୁଷ୍ଠାନ ‘ତୃତୀୟ ନୟନ’ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଏକ ଆକର୍ଷଣୀୟ ନାଟକ ପରିବେଷଣର ଆୟୋଜନ କରାଯାଇଛି। ଆସନ୍ତା ନଭେମ୍ବର ୧୫ ତାରିଖ ରବିବାର ସନ୍ଧ୍ୟା ୭ଟାରେ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମରେ ମଞ୍ଚସ୍ଥ ହେବ ରହସ୍ୟ ଓ ରୋମାଞ୍ଚରେ ଭରପୂର ନାଟକ ‘କୁଆଁରୀ କୋଠି’।
କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏହି ନାଟକକୁ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଗଦାଧର ନନ୍ଦ ନିଜର ଦକ୍ଷ ନିର୍ଦ୍ଦେଶନାରେ ମଞ୍ଚସ୍ଥ କରିବେ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ନାଟକ ପାଇଁ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି।
ନାଟକରେ ନୟାଗଡ଼ର ବହୁ ପରିଚିତ ଓ ଦକ୍ଷ କଳାକାର ମିଷ୍ଟର କାଳିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ଦେବେନ୍ଦ୍ର ପରମଗୁରୁ, ସୁଦର୍ଶନ ରାଉତ, ସଞ୍ଜୟ ପରିଡ଼ା, ଲକି ପଣ୍ଡା, ପ୍ରତାପ ସାହୁ, ନୀର ସାହୁ, ପ୍ରଦୀପ ଡାକୁଆ, ଗୋପୀନାଥ ସେଠୀ, ମାଷ୍ଟର ରାଜେଶ, ପାଣ୍ଡବ ନାୟକ, ରବି ସାର୍, ଯଜ୍ଞନାରାୟଣ, ମୀରା ଓ କଣ୍ଢେଇ ପ୍ରମୁଖ ଅଭିନୟ କରିବେ।
ସେହିପରି ଭୁବନେଶ୍ୱରର ଶକ୍ତି ପ୍ରସାଦ ମିଶ୍ର ସଙ୍ଗୀତ ପରିଚାଳନା କରୁଥିବା ବେଳେ ନୟାଗଡ଼ର ବିପି ସାଉଣ୍ଡସ୍ ଶବ୍ଦ ଓ ଆଲୋକ ପରିଚାଳନା ଦାୟିତ୍ୱ ତୁଲାଇବେ।
ନାଟକ ‘କୁଆଁରୀ କୋଠି’ ଦର୍ଶକଙ୍କୁ ରହସ୍ୟ, ରୋମାଞ୍ଚ ଓ ଅଭିନୟର ଏକ ନିଆରା ଅନୁଭୂତି ଦେବ ବୋଲି ଆୟୋଜକମାନେ ଆଶାବାଦୀ ଅଛନ୍ତି। ନୟାଗଡ଼ର କଳା, ସଂସ୍କୃତି ଓ ନାଟ୍ୟ ପରମ୍ପରାକୁ ଭଲ ପାଉଥିବା ସମସ୍ତ ନାଟ୍ୟପ୍ରେମୀଙ୍କୁ ଏହି ନାଟକ ଉପଭୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି।
