ରଣପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

୭୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଯୋଗଦାନ, ସଫଳ ଚାଷୀଙ୍କୁ ପୁରସ୍କୃତ କଲେ ବାଚସ୍ପତି

ରଣପୁର,(ନୟାଗଡ଼ ଦର୍ପଣ): ଚାଷୀଙ୍କ ଆୟ ବୃଦ୍ଧି ସହିତ ମତ୍ସ୍ୟଚାଷ ଓ ପଶୁପାଳନକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ରଣପୁରଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ରଣପୁରସ୍ଥିତ ମା’ ମଣିନାଗ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଆୟୋଜିତ ଏହି ମେଳାରେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗିନ ମହାନ୍ତି, କୃଷି ସୂଚନା ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ନିର୍ମଳ କୁମାର ମତଗଜସିଂହ, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବିଦ୍ୟୁତ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ସି.ଏଚ୍. ପଲ୍ଲବୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ତପନ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅକ୍ଷୟ କୁମାର ଜେନା ଓ ପ୍ରିୟରଞ୍ଜନ ଦାଶ ଏବଂ ରଣପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟପ୍ରକାଶ ଦ୍ୱିବେଦୀ ପ୍ରମୁଖ ଯୋଗଦେଇଥିଲେ।

ଏହି ମେଳାରେ ମିଶନ ଶକ୍ତି, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ସମେତ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୧୨ଟି ଷ୍ଟଲ୍ ଖୋଲାଯାଇଥିଲା। ଏହି ଷ୍ଟଲ୍‌ଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳରେ ମତ୍ସ୍ୟଚାଷ, ପଶୁପାଳନ, ଧାନଚାଷ ଓ ପନିପରିବା ଚାଷ ସମ୍ପର୍କରେ ବିଭିନ୍ନ ପରାମର୍ଶ ଓ ତାଲିମଭିତ୍ତିକ ସୂଚନା ପ୍ରଦାନ କରାଯାଇଥିଲା। ଏଥିସହ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନା, ସବସିଡି ଓ ଆର୍ଥିକ ସହାୟତା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା।

ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ରଣପୁରକୁ ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଏକ ଆଦର୍ଶ ବ୍ଲକ୍ ଭାବେ ଗଢ଼ିତୋଳିବା ଆମର ଲକ୍ଷ୍ୟ। ଚାଷୀଙ୍କ ଉନ୍ନତି ହିଁ ଆମର ପ୍ରାଥମିକତା ଏବଂ ଚାଷୀଙ୍କ ସମୃଦ୍ଧି ହିଁ ଆମର ସଂକଳ୍ପ। ପାରମ୍ପରିକ ଚାଷ ସହିତ ମତ୍ସ୍ୟଚାଷ ଓ ପଶୁପାଳନକୁ ଆପଣାଇଲେ ଚାଷୀଙ୍କ ଆୟ ବୃଦ୍ଧିର ନୂତନ ସୁଯୋଗ ସୃଷ୍ଟି ହୋଇପାରିବ।

ଏହି ମେଳାରେ ୭୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିବା ବେଳେ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ଚାଷୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଏଥିସହ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ଚାଷୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଚାଷୀଙ୍କୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା, ସରକାରୀ ଯୋଜନାର ସୁଫଳ ସେମାନଙ୍କ ନିକଟରେ ପହଞ୍ଚାଇବା ଏବଂ କୃଷି ସହ ମତ୍ସ୍ୟଚାଷ ଓ ପଶୁପାଳନକୁ ଆୟର ଅତିରିକ୍ତ ମାଧ୍ୟମ ଭାବେ ଗଢ଼ିତୋଳିବାର ବାର୍ତ୍ତା ଦେଇଥିଲା ଏହି ବ୍ଲକସ୍ତରୀୟ ମେଳା।

Related posts