କୁଆଁରିଆ ଡାକବଙ୍ଗଳାରେ ଉତ୍କଳ ସାମ୍ବାଦିକ ସଂଘର ମିଳିତ ବନ୍ଧୁମିଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ଏହା ସମାଜ ପ୍ରତି ଏକ ଗୁରୁଦାୟିତ୍ୱ। ଏହି ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବା ସହ ସାମ୍ବାଦିକଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପାରସ୍ପରିକ ସହଯୋଗକୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ଦଶପଲ୍ଲାସ୍ଥିତ କୁଆଁରିଆ ଜଳସେଚନ ଡାକବଙ୍ଗଳା ପରିସରରେ ଉତ୍କଳ ସାମ୍ବାଦିକ ସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏକ ମିଳିତ ବନ୍ଧୁମିଳନ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।
ସଂଘର ଗଣିଆ, ନୂଆଗାଁ ଓ ଦଶପଲ୍ଲା ବ୍ଲକର ସଦସ୍ୟମାନଙ୍କୁ ନେଇ ଆୟୋଜିତ ଏହି ବନ୍ଧୁମିଳନରେ ଜିଲ୍ଲା ଶାଖାର କର୍ମକର୍ତ୍ତା ଓ ବହୁ ସାମ୍ବାଦିକ ଯୋଗଦେଇଥିଲେ।

ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ଦାଶ, ଦଶପଲ୍ଲା ପ୍ରେସ୍ କ୍ଲବ ସଭାପତି ସୁରେଶ କୁମାର ବେହେରା, ଦଶପଲ୍ଲା ବ୍ଲକ ସଭାପତି ତଥା ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କୁମାର ଦାଶ, ନୂଆଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି ସୁକେନ୍ଦୁ କୁମାର ଦାସ, ସମ୍ପାଦକ ହୃଦାନନ୍ଦ ଶାସମଲ, ଗଣିଆ ବ୍ଲକ ସଭାପତି ଦେବୀପ୍ରସାଦ ଦାଶ ଓ ସମ୍ପାଦକ ଜ୍ଞାନୀ ପ୍ରକାଶ ସେନାପତିଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।
ଆଲୋଚନା ସଭାରେ ସଂଘକୁ ଅଧିକ ସୁଦୃଢ଼ ଓ ଶୃଙ୍ଖଳିତ କରିବା, ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ବୃତ୍ତିଗତ ଏକତା ବଜାୟ ରଖିବା ସହ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ଗୁରୁତ୍ୱ ଉପରେ ଅତିଥିମାନେ ନିଜ ନିଜର ମତ ରଖିଥିଲେ।

ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ଏବଂ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ପରିସର ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ସଭାରେ ପ୍ରସ୍ତାବ ଆଗତ ହୋଇଥିଲା।
ପରିଶେଷରେ ନୟାଗଡ଼ ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘକୁ ଆହୁରି ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ସ୍ୱାର୍ଥ, ସମ୍ମାନ, ସୁରକ୍ଷା ଓ ଅଧିକାରର ସୁରକ୍ଷା ନିମନ୍ତେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ ସଦସ୍ୟମାନେ ସଂକଳ୍ପ ନେଇଥିଲେ। ସାମ୍ବାଦିକଙ୍କ ଏକତା ହିଁ ସଂଗଠନର ଶକ୍ତି—ଏହି ବାର୍ତ୍ତା ଦେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Related posts