ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ନୟାଗଡ଼ରେ ଏକତାର ମହାସ୍ୱର

ଦେଢ଼ଶହ ସାମ୍ବାଦିକଙ୍କ ସମାଗମରେ ଗୁଞ୍ଜରିତ ହେଲା ‘ସାମ୍ବାଦିକ ଏକତା ଜିନ୍ଦାବାଦ’ ନାରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ସ୍ୱାଧୀନତା ଏବଂ ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟୋଚିତ ଅଧିକାରର ସୁରକ୍ଷା ଦାବିରେ ନୟାଗଡ଼ରେ ଅନୁଷ୍ଠିତ ହୋଇଛି ଏକ ବୃହତ୍ ସାମ୍ବାଦିକ ସମାବେଶ। ଜିଲ୍ଲାର ପ୍ରାୟ ଦେଢ଼ଶହ ସାମ୍ବାଦିକଙ୍କ ଉପସ୍ଥିତିରେ ସାମ୍ବାଦିକ ଏକତାର ସ୍ୱର ଗୁଞ୍ଜରିତ ହୋଇଥିବା ବେଳେ ‘ସାମ୍ବାଦିକ ଏକତା ଜିନ୍ଦାବାଦ’ ନାରାରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା।

ଇଣ୍ଡିଆନ ଅର୍ଗାନାଇଜେସନ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ୍ (IOUWJ) ଓ ଓଡ଼ିଶା ୟୁନିଅନ୍ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ୍ (OUWJ) ସହ ସଂପୃକ୍ତ ସାମ୍ବାଦିକ ସଂଗଠନର ରାଜ୍ୟ ସଂଯୋଜକ ତଥା ନୟାଗଡ଼ ଜିଲ୍ଲା ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ଏହି ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ସାମ୍ବାଦିକମାନଙ୍କ ଅଭୂତପୂର୍ବ ଉପସ୍ଥିତି ସାଂଗଠନିକ ଏକତାର ଏକ ନୂଆ ବାର୍ତ୍ତା ଦେଇଥିଲା।

କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ରାଜ୍ୟ ସମ୍ପାଦକ ମହାରଣ୍ୟ ଶର୍ମା ଓ ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି ସାମ୍ବାଦିକଙ୍କ ଏକତା, ସାଂଗଠନିକ ଶକ୍ତି ଓ ସାମ୍ବାଦିକତାର ମର୍ଯ୍ୟାଦା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ ସ୍ୱାଇଁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଏନ୍‌ଏସି ଅଧ୍ୟକ୍ଷା ନିରୁପମା ଖଟେଇ, ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ସନ୍ତୋଷ ବାବୁ, ଜିଲ୍ଲା ସାମ୍ବାଦିକ ଭବନର ସଭାପତି ରଜତ ପଟ୍ଟନାୟକ ଓ ସମ୍ପାଦକ ଆନୱାର ଅଲି ଯୋଗଦେଇଥିଲେ।

ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ, ସାମ୍ବାଦିକମାନେ କେବଳ ଖବର ପରିବେଷଣରେ ସୀମିତ ନୁହନ୍ତି; ସମାଜର ଅନ୍ୟାୟ, ଅନୀତି ଓ ଜନସାଧାରଣଙ୍କ ସମସ୍ୟାକୁ ନିର୍ଭୀକ ଭାବେ ସାମ୍ନାକୁ ଆଣିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସାମ୍ବାଦିକଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ସାମାଜିକ ସମ୍ମାନ ଓ ନ୍ୟାୟୋଚିତ ଅଧିକାର ସୁନିଶ୍ଚିତ ହେବା ଆବଶ୍ୟକ।

ସାମ୍ବାଦିକଙ୍କ କୌଣସି ଅସୁବିଧା, ବିପଦ କିମ୍ବା ଦୁର୍ଦ୍ଦିନରେ ସଂଗଠନ ସର୍ବଦା ସେମାନଙ୍କ ପାଖରେ ଠିଆ ହେବ ବୋଲି ଉପସ୍ଥିତ ଅତିଥିମାନେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ସାମ୍ବାଦିକଙ୍କ ନିରାପତ୍ତା, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦିଗରେ ସରକାର ଏବଂ ପ୍ରଶାସନ ଅଧିକ ସମ୍ବେଦନଶୀଳ ହେବାକୁ ମତ ପ୍ରକାଶ ପାଇଥିଲା।

ଅନ୍ୟପକ୍ଷରେ, ଦେବୀ ପ୍ରସାଦ ମିଶ୍ରଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ‘ସାମ୍ବାଦିକ ଏକତା ଜିନ୍ଦାବାଦ’ର ସ୍ୱରକୁ ଆଗକୁ ନେବା ପାଇଁ ସମସ୍ତେ ଏକମତ ହୋଇଥିଲେ। ଜିଲ୍ଲା ସାମ୍ବାଦିକ ଭବନର ସଭାପତି ରଜତ ପଟ୍ଟନାୟକ ଓ ସମ୍ପାଦକ ଆନୱାର ଅଲି ଦେବୀ ପ୍ରସାଦ ମିଶ୍ରଙ୍କ ସାଂଗଠନିକ ଉଦ୍ୟମକୁ ସମର୍ଥନ ଜଣାଇବା ସହ ତାଙ୍କ ହାତମୁଠାକୁ ମଜଭୁତ କରିବା ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ସ୍ୱର୍ଣ୍ଣପଦକପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଭାକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ।

ସାମ୍ବାଦିକଙ୍କ ଅଧିକାର ପାଇଁ ଉଠିଲା ଦୃଢ଼ ଦାବି

ଏହି ସମାବେଶ କେବଳ ଏକ ସାଂଗଠନିକ କାର୍ଯ୍ୟକ୍ରମ ନୁହେଁ, ବରଂ ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାର ପାଇଁ ଏକ ସାମୂହିକ ସ୍ୱର ଭାବେ ପରିଗଣିତ ହୋଇଥିଲା। ଏହି ଅବସରରେ ସାମ୍ବାଦିକ ମହଲରେ ରାଜ୍ୟ ସରକାର ଓ ପ୍ରଶାସନ ନିକଟରେ କେତେକ ଦାବି ଉପସ୍ଥାପିତ ହୋଇଥିଲା।

୧. ସାମ୍ବାଦିକଙ୍କ ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ନୀତି ପ୍ରଣୟନ।

୨. କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଧମକ ଓ ହଇରାଣ ଘଟଣାର ତ୍ୱରିତ ତଦନ୍ତ ଏବଂ ନ୍ୟାୟ ପ୍ରଦାନ।

୩. ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବୀମା, ଆର୍ଥିକ ସହାୟତା ଓ କଲ୍ୟାଣକାରୀ ଯୋଜନା।

୪. ସାମ୍ବାଦିକ ଭବନ, କାର୍ଯ୍ୟାଳୟ ଓ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ସରକାରୀ ସହଯୋଗ।

୫. ଗ୍ରାମାଞ୍ଚଳ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ଶୁଣିବା ପାଇଁ ନିୟମିତ ପ୍ରଶାସନିକ ଆଲୋଚନା ବ୍ୟବସ୍ଥା।

୬. ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି।

ଅନୁପସ୍ଥିତ ସାମ୍ବାଦିକଙ୍କ ପ୍ରତି ଦୁଃଖପ୍ରକାଶ

ସମାବେଶରେ ଉପସ୍ଥିତ ସମସ୍ତ ସାମ୍ବାଦିକ, ସମାଜସେବୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିଙ୍କୁ ଅତିଥିମାନଙ୍କ ପକ୍ଷରୁ ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଠିକ୍ ସମୟରେ ସମସ୍ତଙ୍କ ନିକଟରେ ପହଞ୍ଚିପାରି ନଥିବାରୁ ଅନୁପସ୍ଥିତ ଥିବା ସାମ୍ବାଦିକ ବନ୍ଧୁ ଓ ବରିଷ୍ଠ ସାମ୍ବାଦିକମାନଙ୍କ ଉଦ୍ଦେଶ୍ୟରେ ସଭାପତି ଦେବୀ ପ୍ରସାଦ ମିଶ୍ର ଦୁଃଖପ୍ରକାଶ କରିଥିଲେ। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଅଧିକ ସୁସଂଗଠିତ ଓ ସୁପରିଚାଳିତ ଢଙ୍ଗରେ ଆୟୋଜନ କରାଯିବ ବୋଲି ସେ ମତ ରଖିଥିଲେ।

ଶେଷରେ ସଭାପତି ଦେବୀ ପ୍ରସାଦ ମିଶ୍ର “ସାମ୍ବାଦିକ ଏକତା ଆମର ଲକ୍ଷ୍ୟ, ସାମ୍ବାଦିକଙ୍କ ସୁରକ୍ଷା ଆମର ସଂକଳ୍ପ” ବୋଲି ଆହ୍ୱାନ ଦେଇଥିଲେ। ‘ସାମ୍ବାଦିକ ଏକତା ଜିନ୍ଦାବାଦ’ ନାରା ମଧ୍ୟରେ ସଭା ସମାପନ ହୋଇଥିଲା।

ସାମ୍ବାଦିକଙ୍କ କଲମ ନିରବ ହେଲେ ଗଣତନ୍ତ୍ରର ସ୍ୱର ଦୁର୍ବଳ ହୋଇପଡ଼ିବ। ତେଣୁ ସାମ୍ବାଦିକଙ୍କ ସୁରକ୍ଷା ଓ ସମ୍ମାନ କେବଳ ସାମ୍ବାଦିକ ସମାଜର ପ୍ରସଙ୍ଗ ନୁହେଁ, ଏହା ଗଣତନ୍ତ୍ରର ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

Related posts