ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ପିଟିଏସ ରୋଡ଼ସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଏକ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏବଂ ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ୱତୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ଜିଲ୍ଲାପାଳଙ୍କୁ ମିଶନ ପକ୍ଷରୁ ସଭାପତିଙ୍କ ନେତୃତ୍ୱରେ ବେଦମନ୍ତ୍ର ପାଠ ସହିତ ଏକ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।ଜିଲ୍ଲାପାଳ ଆଜିର ଯାନ୍ତ୍ରିକ ଯୁଗରେ ମାନବ ଜୀବନରେ ଶ୍ରୀମଦ୍ ଭାଗବତ ଗୀତାର ଶିକ୍ଷା ଓ ଆବଶ୍ୟକତା ସମ୍ପର୍କରେ ମୂଲ୍ୟବାନ୍ ମତାମତ ପ୍ରଦାନ କରିଥିବା ବେଳେ ଚିନ୍ମୟ ମିଶନର ଏହି ନିଆରା କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ ।ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଚିନ୍ମୟ ମିଶନ ନୟାଗଡ଼ ଶାଖାର ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରିବା ସହିତ ସଭାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଘନଶ୍ୟାମ ସାହୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଅଧ୍ୟାପିକା ନୀଳିମା ନନ୍ଦ, ଅକ୍ଷୟ କୁମାର ସାହୁ, ଅଧ୍ୟାପିକା ଲୋପାମୁଦ୍ରା ଷଡ଼ଙ୍ଗୀ, ଡ. ସନ୍ତୋଷ କୁମାର ସାହୁ, ପ୍ରାକ୍ତନ ପ୍ରାଧ୍ୟାପିକା ଜୟଶ୍ରୀ ସାହୁ ଏବଂ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମିଶନର ସଂଯୋଜିକା ଶ୍ରାବଣୀ ମିଶ୍ର, ସଦସ୍ୟ ଅରୁଣ କୁମାର ମହାନ୍ତି,ପ୍ରସନ୍ନ କୁମାର ବସନ୍ତିଆ, ଦୁର୍ଯ୍ୟୋଧନ ସାହୁ,ଅନାଦି ଚରଣ ମହାନ୍ତି,କୃଷ୍ଣପ୍ରିୟା ଦାଶ,ପ୍ରଦୀପ କୁମାର ସାହୁ,ଲକ୍ଷ୍ମୀଧର ସାହୁ, ସତ୍ୟନାରାୟଣ ସାହୁ, ପଦ୍ମଚରଣ ସାହୁ, ପ୍ରଫୁଲ୍ଲ କୁମାର ନାୟକ,ପ୍ରଦୀପ୍ତ କୁମାର ସାହୁ ଏବଂ ଉଦୟନାଥ ନାୟକ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ।
ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ: ଜିଲ୍ଲାପାଳ
