ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାର୍ଟଅପ୍ ଓ ଉଦ୍ୟମିତା ପରିବେଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୫ ତାରିଖରେ ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (FMDP)ର ଶୁଭାରମ୍ଭ କରାଯାଇଥିଲା। ଏହାର ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଅହମଦାବାଦସ୍ଥିତ ଏଣ୍ଟରପ୍ରେନ୍ୟୁରସିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (EDII)ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ମନୋନୀତ ୪୦ ଜଣ ଅଧ୍ୟାପକଙ୍କ ମଧ୍ୟରେ ନୟାଗଡ଼ ମଡେଲ୍ ଡିଗ୍ରୀ କଲେଜର ନୃତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅପରାଜିତା ମିଶ୍ର ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି । ଏହି ପ୍ରଶିକ୍ଷଣରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ନବସୃଜନ, ଉଦ୍ୟମିତା ବିକାଶ ଓ ଶିକ୍ଷାନୁଷ୍ଠାନରେ ଉଦ୍ୟୋଗୀ ପରିବେଶ ସୃଷ୍ଟି ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ନୟାଗଡ଼ ତଥା ଆଖପାଖ ଅଞ୍ଚଳରେ ସ୍ଥାନୀୟ ସମ୍ବଳ, କୃଷି, ପାରମ୍ପରିକ ଜ୍ଞାନ, ଆଦିବାସୀ କଳା ଓ ହସ୍ତଶିଳ୍ପକୁ ଆଧାର କରି ଉଦ୍ୟମିତା ବିକାଶର ବ୍ୟାପକ ସମ୍ଭାବନା ସମ୍ପର୍କରେ ସେହି ପ୍ରଶିକ୍ଷଣରେ ଉପସ୍ଥାପନ କରିଥିଲେ। ଏହି ପ୍ରଶିକ୍ଷଣରୁ ଅର୍ଜିତ ଜ୍ଞାନ ଓ ଅଭିଜ୍ଞତା ଅଞ୍ଚଳର ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସୃଷ୍ଟି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଓ ଉଦ୍ୟୋଗୀ ମନୋଭାବ ବିକାଶ ଏବଂ ଶିକ୍ଷାକୁ ଆତ୍ମନିଯୁକ୍ତି ସହ ଯୋଡ଼ିବାରେ ସହାୟକ ହେବ। ଏହାଦ୍ୱାରା ଯୁବପିଢ଼ି କେବଳ ଚାକିରି ଅନ୍ୱେଷଣକାରୀ ନ ହୋଇ ନିଜେ ଉଦ୍ୟୋଗ ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଉତ୍ସାହିତ ହେବେ ବୋଲି ଡକ୍ଟର ମିଶ୍ର ଆଶା ପ୍ରକାଶ କରିଛନ୍ତି।
ଏହି ସୁଯୋଗ ପ୍ରଦାନ କରିଥିବାରୁ ଡ. ମିଶ୍ର ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏଥିସହ ପ୍ରଶିକ୍ଷଣରେ ଯୋଗଦେବା ପାଇଁ ଅନୁମତି ଓ ସହଯୋଗ ପ୍ରଦାନ କରିଥିବାରୁ ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ଡକ୍ଟର ମିଶ୍ରଙ୍କର ଏହି ପ୍ରଶିକ୍ଷଣରେ ଯୋଗଦାନ ଫଳରେ ମଡେଲ ଡିଗ୍ରୀ କଲେଜର ନାମ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି।
ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା
