ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଜରା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ବୃଦ୍ଧ, ବୃଦ୍ଧା ଓ ମଧ୍ୟବୟସ୍କ ନାଗରିକ ଉପସ୍ଥିତ ଥିଲେ।
ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସସ୍ମିତା ରାଉତ ବୃଦ୍ଧ ବୃଦ୍ଧାଙ୍କ ଯତ୍ନ ଓ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରିବାରରେ ଥିବା ବୟସ୍କ ବାପା-ମାଆଙ୍କ ଦାୟିତ୍ୱ ନେବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ।
ଏହି ଅବସରରେ ଆୟୁଷ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସୁବିଧା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ରକ୍ତଚାପ, ରକ୍ତଶର୍କରା, ଆଣ୍ଠୁଗଣ୍ଠି ବିନ୍ଧା, ନିଦ୍ରାହୀନତା ଆଦି ବୟସଜନିତ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରୁ ମାଗଣାରେ ଔଷଧ ପାଇବାର ସୁବିଧା ସମ୍ପର୍କରେ ମଧ୍ୟ ସେ ବୁଝାଇଥିଲେ।
ବୟସ୍କ ବ୍ୟକ୍ତିମାନେ ନିୟମିତ ଭାବେ ହାଲୁକା ଶାରୀରିକ ପରିଶ୍ରମ କରିବା, ସନ୍ତୁଳିତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ବିଶ୍ରାମ ନେବା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିସହିତ ମାନସିକ ଚାପରୁ ଦୂରେଇ ରହିବା ଓ ପରିବାର ତଥା ସମାଜ ସହିତ ସୁସମ୍ପର୍କ ରଖିବା ଦ୍ୱାରା ବୟସ୍କମାନେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିପାରିବେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବୟସ୍କମାନଙ୍କ ସୁସ୍ଥ ଓ ସମ୍ମାନଜନକ ଜୀବନଯାପନ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦର୍ପନାରାୟଣପୁରରେ ଅନ୍ତର୍ଜାତୀୟ ଜରା ଦିବସ ପାଳିତ
