ବିଳମ୍ବରେ ଆସିଲେ କଲେଜ ଗେଟ୍‌ରେ ତାଲା!

ପାଠପଢ଼ାରୁ ବଞ୍ଚିତ ହେଉଥିବା ଅଭିଯୋଗ, ଶୌଚାଳୟ ଓ ପାଣି ସମସ୍ୟା ନେଇ ବି ଅସନ୍ତୋଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏକ ନିୟମକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ଆସିବାରେ ମାତ୍ର କିଛି ମିନିଟ୍ ବିଳମ୍ବ ହେଲେ ମୁଖ୍ୟ ଫାଟକ ବନ୍ଦ କରାଯାଉଥିବା ଏବଂ ଛାତ୍ରୀମାନଙ୍କୁ ଗେଟ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।

ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ସକାଳର ପ୍ରଥମ କ୍ଲାସ୍ ଆରମ୍ଭ ହେବା ପରେ ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦିଆଯାଉଛି। ଫଳରେ କୌଣସି କାରଣରୁ ପ୍ରାୟ ୧୦ ମିନିଟ୍ ବିଳମ୍ବରେ କଲେଜରେ ପହଞ୍ଚୁଥିବା ଛାତ୍ରୀମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ କରିବାର ସୁଯୋଗ ମିଳୁନାହିଁ। ଏପରିକି ସେଦିନ ପାଠପଢ଼ାରେ ସାମିଲ ହେବାରୁ ସେମାନେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି।

ଛାତ୍ରୀମାନଙ୍କ କହିବା କଥା, ଅନେକ ଛାତ୍ରୀ ଦୂରଦୂରାନ୍ତରୁ ବସ୍ କିମ୍ବା ସାଇକେଲ୍‌ରେ କଲେଜକୁ ଆସୁଥିବାରୁ ବେଳେବେଳେ ଅଳ୍ପ ବିଳମ୍ବ ହୋଇଥାଏ। ଏଭଳି ସ୍ଥିତିରେ ଗେଟ୍ ବନ୍ଦ କରି ଦିଆଯିବା ଯୋଗୁଁ ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, କଲେଜ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଭିନ୍ନ ଭାବରେ ବ୍ୟାଖ୍ୟା କରିଛନ୍ତି। କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏହି ନିୟମ ସମସ୍ତ ଛାତ୍ରୀଙ୍କ ପାଇଁ ନୁହେଁ। ବିଶେଷକରି ବାହାର ହଷ୍ଟେଲ୍‌ରେ ରହି କୋଚିଂ ସାରି ବିଳମ୍ବରେ କଲେଜକୁ ଆସୁଥିବା ଛାତ୍ରୀମାନଙ୍କୁ ସମୟାନୁବର୍ତ୍ତୀ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଦୂରରୁ ଘରୁ ବସ୍ କିମ୍ବା ସାଇକେଲ୍‌ରେ ଆସୁଥିବା ଛାତ୍ରୀଙ୍କ କ୍ଷେତ୍ରରେ ନିୟମକୁ କୋହଳ କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

କଲେଜରେ ଛାତ୍ରୀମାନଙ୍କ ନିୟମିତ ଉପସ୍ଥାନ ଓ ସମୟାନୁବର୍ତ୍ତିତା ନିଶ୍ଚିତ କରିବା ଏହି ନିୟମର ଉଦ୍ଦେଶ୍ୟ ବୋଲି ପ୍ରିନ୍ସିପାଲ୍ କହିଛନ୍ତି। ଏହାଦ୍ୱାରା ଛାତ୍ରୀମାନେ ସମୟରେ କଲେଜ ଆସୁଛନ୍ତି ଏବଂ ବାହାରେ ଅନାବଶ୍ୟକ ଭାବେ ବୁଲୁନାହାନ୍ତି ବୋଲି ସେ କହିଛନ୍ତି।

ତେବେ କେବଳ ଗେଟ୍ ବନ୍ଦ ନୁହେଁ, କଲେଜର ମୌଳିକ ସୁବିଧାକୁ ନେଇ ମଧ୍ୟ ଛାତ୍ରୀମାନେ ଅଭିଯୋଗ ଉଠାଇଛନ୍ତି। ପ୍ରାୟ ୧୫ ଶହ ଛାତ୍ରୀଙ୍କ ପାଇଁ କଲେଜରେ ମାତ୍ର ୧୩ଟି ଶୌଚାଳୟ ରହିଥିବା ଅଭିଯୋଗ ହୋଇଛି। ଏହା ସହିତ ଶୌଚାଳୟଗୁଡ଼ିକ ନିୟମିତ ସଫା ହେଉନଥିବା, ପିଇବା ପାଣିର ସମସ୍ୟା ଦୀର୍ଘଦିନ ଧରି ରହିଥିବା ଏବଂ କ୍ୟାଣ୍ଟିନ୍‌ରେ ମଧ୍ୟ ବିଭିନ୍ନ ସମସ୍ୟା ଥିବା ଛାତ୍ରୀମାନେ କହିଛନ୍ତି।

ଛାତ୍ରୀମାନଙ୍କ ଅଭିଯୋଗ, ମୁଖ୍ୟ ଗେଟ୍‌କୁ ସକାଳ ପ୍ରାୟ ୧୦ଟା ୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବାରୁ ଖାଇବା, ପିଇବା ଏବଂ ଆବଶ୍ୟକ କାମ ପାଇଁ ମଧ୍ୟ ସମସ୍ୟା ହେଉଛି। ଏହି ନିୟମ ଯୋଗୁଁ ଗେଟ୍ ବାହାରେ ଠିଆ ହେବାକୁ ପଡ଼ୁଥିବାରୁ ମାନସିକ ଚାପର ସମ୍ମୁଖୀନ ହେଉଥିବା ମଧ୍ୟ କେତେକ ଛାତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଛାତ୍ରୀମାନେ ଉଠାଇଥିବା ସମସ୍ୟାଗୁଡ଼ିକର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରିନ୍ସିପାଲ୍ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଛାତ୍ରୀମାନଙ୍କ ପାଠପଢ଼ା, ମୌଳିକ ସୁବିଧା ଓ ସୁରକ୍ଷା ସହିତ ସମୟାନୁବର୍ତ୍ତିତା ମଧ୍ୟରେ କିପରି ସମନ୍ୱୟ ରହିବ, ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି।

Related posts