ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ନାକିଠଣାସ୍ଥିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠାର ଚତୁର୍ଥ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଧାର୍ମିକ ଆଚାର-ଅନୁଷ୍ଠାନ ସହ ଏକ ସଭା ଏବଂ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା।

ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିରର ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ନେଇ ଖୁବ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନିର୍ମଳ କୁମାର ମତ୍ତଗଜସିଂହ, ପରିବହନ ବିଭାଗର ଅତିରିକ୍ତ କମିଶନର ବିଭବ ଭଞ୍ଜନ ସାମନ୍ତସିଂହାର, ରଣପୁର ତହସିଲଦାର ଆର୍ୟ କୁମାର ସର୍ବଦମନ, ବିଜୟ ରାଉତରାୟ ଓ ଦେବରାଜ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରୀରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୈତିକ ମୂଲ୍ୟବୋଧ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ଭଜନ ସନ୍ଧ୍ୟା ସମଗ୍ର ପରିବେଶକୁ ଭକ୍ତିରସରେ ଭରିଦେଇଥିଲା। ବରିଷ୍ଠ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତାଙ୍କ ସଙ୍ଗୀତ ଦଳ ମନୋମୁଗ୍ଧକର ଭଜନ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲେ। ଉତ୍ସବରେ ବହୁ ସଂଖ୍ୟକ ଭକ୍ତ, ସ୍ଥାନୀୟ ଜନସାଧାରଣ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
