ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ନଭେମ୍ବର ୨୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ୧୦ ଦିନ ବ୍ୟାପୀ ଐତିହାସିକ ବାଲିଯାତ୍ରା ଆୟୋଜିତ ହେବ। ଏହି ଐତିହାସିକ ମହୋତ୍ସବର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ କଟକରୁ ବାହାରିଥିବା ଏକ ସ୍ୱତନ୍ତ୍ର ପ୍ରଚାର ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି। ଏହି କ୍ରମରେ ଗତକାଲି ସନ୍ଧ୍ୟାରେ ରଥଟି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ ଉପସ୍ଥିତ ରହି ବାଲିଯାତ୍ରାର ପ୍ରଚାର ରଥକୁ ସ୍ୱାଗତ କରିଥିଲେ। ଏହି ପ୍ରଚାର ରଥ ମାଧ୍ୟମରେ ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା, ଐତିହ୍ୟ ଓ ସଂସ୍କୃତିର ବାର୍ତ୍ତା ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ସହ ବାଲିଯାତ୍ରା ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ନୟାଗଡ଼ରେ ଐତିହାସିକ କଟକ ବାଲିଯାତ୍ରା ରଥକୁ ଭବ୍ୟ ସ୍ୱାଗତ
