ବାତ୍ୟା ‘ଅକୱାନ’ ମୁକାବିଲା ନେଇ ବାଚସ୍ପତି ଓ ଖଣ୍ଡପଡ଼ା ବିଧାୟକଙ୍କ ସହ ଜିଲ୍ଲାପାଳ ଏବଂ ସିଡିଏମ୍ଓଙ୍କ ଆଲୋଚନା

ନୟାଗଡ଼,(ନୟାଗଡ଼ ଦର୍ପଣ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଆକଭାନ’ ର ପ୍ରଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରୁ ମୋଟ ୪,୧୨୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । 

ବାତ୍ୟା ପରିସ୍ଥିତି, ରିଲିଫ୍ ଏବଂ ସ୍ୱାସ୍ଥ୍ୟସେବା କାର୍ଯ୍ୟର ସମୀକ୍ଷା ନେଇ ସର୍କିଟ ହାଉସ ଠାରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବି ସି. ରାଓଙ୍କ ସହ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ଆଲୋଚନା ସମୟରେ ତଳିଆ ଅଞ୍ଚଳ ଏବଂ କଚ୍ଚା ଘରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା,ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାସହ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା, ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଏବଂ ଔଷଧ ମହଜୁଦ ରଖିବା ନେଇ ସିଡିଏମ୍ଓ ଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା ।
ବିଶେଷକରି ଜିଲ୍ଲାର ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା ସହ ବିପଦସଙ୍କୁଳ ଅବସ୍ଥାରେ ଥିବା ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଉଦ୍ଧାର କରିବାକୁ ବାଚସ୍ପତି ଓ ବିଧାୟକ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

Related posts