୬ଜଣ ପ୍ରତିଭାଶାଳୀ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଯୁବ ଉତ୍ସବକୁ ମନୋନୀତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତା, ନେତୃତ୍ୱ ଦକ୍ଷତା ଓ ନୂତନ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୬ର ପିପିଟି (PPT) ରାଉଣ୍ଡ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ସ୍ଥାୟୀ ଶିଳ୍ପାୟନ ଓ ସମ୍ପଦ-ଆଧାରିତ ବିକାଶ’। ବିକଶିତ ଭାରତ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା ମନୋନୀତ ପ୍ରତିଯୋଗୀମାନେ ଜିଲ୍ଲା ଚାମ୍ପିୟନଶିପ୍ର ଏହି ପର୍ଯ୍ୟାୟରେ ବ୍ୟକ୍ତିଗତ ଭାବେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ନିଜ ନିଜର ଚିନ୍ତାଧାରା ଓ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବ ସଂଗଠନର ପ୍ରତିନିଧିମାନେ ଏଥିରେ ଭାଗ ନେଇଥିଲେ।
ପ୍ରତିଯୋଗିତାର ବିଚାରକ ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ର, ନୟାଗଡ଼ର ସାଧାରଣ ପରିଚାଳକ ସମ୍ପଦ କୁମାର ନାୟକ, ସରକାରୀ ପଲିଟେକ୍ନିକ୍, ନୟାଗଡ଼ର ଅଧ୍ୟକ୍ଷ ସୁଧାଂଶୁ ଶେଖର ସାହୁ ଏବଂ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ନୟାଗଡ଼ର ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଦାୟିତ୍ୱ ତୁଲାଇଥିଲେ।
ଏହି ପ୍ରତିଯୋଗିତାରୁ ଜିଲ୍ଲାସ୍ତରରେ ୬ ଜଣ ପ୍ରତିଭାଶାଳୀ ପ୍ରତିଯୋଗୀ ଚୟନିତ ହୋଇଛନ୍ତି। ସେମାନେ ଆଗାମୀ ରାଜ୍ୟସ୍ତରୀୟ ଯୁବ ଉତ୍ସବ-୨୦୨୬ରେ ନୟାଗଡ଼ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।
କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ ଯୋଗଦେଇଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ ସୁଚାରୁରୂପେ ପରିଚାଳନା କରିଥିଲେ।
ଯୁବପିଢ଼ିଙ୍କ ପ୍ରତିଭା, ଦକ୍ଷତା ଓ ନେତୃତ୍ୱର ବିକାଶ ସହ ରାଜ୍ୟସ୍ତରରେ ନୟାଗଡ଼ର ପ୍ରତିନିଧିତ୍ୱ ପାଇଁ ଏହି ଯୁବ ଉତ୍ସବ ଏକ ଉତ୍କୃଷ୍ଟ ମଞ୍ଚ ସାଜିଛି।

