ଗୋଡିପଡ଼ା ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

୬୩ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ମଡେଲ ପ୍ରଦର୍ଶନ, କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

ଗୋଡିପଡ଼ା, (ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ଉଦ୍ଭାବନର ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୋଡିପଡ଼ାଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ମହାଆଡ଼ମ୍ବର ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ୬୩ଟି ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ଓ ମଡେଲ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ଓ ଉଦ୍ଭାବନମୂଳକ ପ୍ରୟାସ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
କାର୍ଯ୍ୟକ୍ରମରେ ଗୋଡିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ସମିତି ସଭ୍ୟ ବସନ୍ତ କୁମାର ମହାନ୍ତି, ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ମାନଧାତାପୁରର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦ, ଶରଣକୁଳ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନିଲ କୁମାର ନାୟକ, ଗୋପୀନାଥ ଉଚ୍ଚ ବିଦ୍ୟାଳୟ, ଗୋଡିପଲ୍ଲୀର ବିଜ୍ଞାନ ଶିକ୍ଷକ ଦେବରାଜ ସ୍ୱାଇଁ, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ବିଜ୍ଞାନ ଶିକ୍ଷକ ପରମାନନ୍ଦ ଦଳାଇ, ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନସ କୁମାର ସାହୁ ଏବଂ ଗ୍ରାମ ସଭାପତି ତଥା ଆଲୁମିନି ସଦସ୍ୟ ଭିକାରି ଚରଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ରାଉତ ଓ ଉପସ୍ଥିତ ଅତିଥିମାନେ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା, ଯୁକ୍ତିନିଷ୍ଠ ଚିନ୍ତାଧାରା ଗଢ଼ିତୋଳିବା ଏବଂ ନୂତନ ଉଦ୍ଭାବନ ଦିଗରେ ଆଗେଇ ଆସିବାକୁ ସେମାନେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ ପ୍ରକଳ୍ପରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ନୂତନ ଜ୍ଞାନ ଆହରଣର ଉତ୍ସାହ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

Related posts