ଜଳ, ଜଙ୍ଗଲ, ଜମି ସୁରକ୍ଷା ସହ ପ୍ରଦୂଷଣମୁକ୍ତ ନୟାଗଡ଼ ଗଠନକୁ ଗୁରୁତ୍ୱ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଟାଙ୍ଗରା ପାହାଡ଼ ସମେତ ବିଭିନ୍ନ ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରିଦେବା ଦିଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା ଜଙ୍ଗଲ ସୁରକ୍ଷା ମହାସଂଘ ଏଣିକି ପଞ୍ଜୀକୃତ ହୋଇଛି। ଏତେଦିନ ଧରି ଅଣପଞ୍ଜୀକୃତ ଭାବେ କାର୍ଯ୍ୟ କରିଆସୁଥିବା ମହାସଂଘକୁ ଅଧିକ କ୍ରିୟାଶୀଳ ଓ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ନିୟମ ଅନୁଯାୟୀ ପଞ୍ଜୀକରଣ କରାଯାଇଛି।
ସଭାପତି ଶରତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ନୟାଗଡ଼ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୯ ସଦସ୍ୟ ବିଶିଷ୍ଟ ‘ଜଙ୍ଗଲ ସୁରକ୍ଷା’ ନାମରେ ଏକ ଟ୍ରଷ୍ଟ ପଞ୍ଜୀକୃତ ହୋଇଛି। ଟ୍ରଷ୍ଟର ସୁପରିଚାଳନା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସଭାପତି, କିଶୋର ଚନ୍ଦ୍ର ପାଣିଙ୍କୁ ଉପସଭାପତି, ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ସମ୍ପାଦକ, ପ୍ରକୃତିବନ୍ଧୁ କିଶୋର ଚନ୍ଦ୍ର ଦଳବେହେରାଙ୍କୁ ସହସମ୍ପାଦକ ଏବଂ ପ୍ରକୃତିବନ୍ଧୁ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ରେଣୁବାଳା ପ୍ରଧାନ, ଶ୍ରୀବତ୍ସ ପଣ୍ଡା ଓ ନିତ୍ୟାନନ୍ଦ ପ୍ରଧାନଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଆଗାମୀ ଦିନରେ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହ ପଞ୍ଚମହାଭୂତର ଅନ୍ୟତମ ପ୍ରମୁଖ ଉପାଦାନ ବାୟୁ ଓ ଶକ୍ତିର ସୁରକ୍ଷା ଉପରେ ମହାସଂଘ ଗୁରୁତ୍ୱ ଦେବ। ଏଥିସହ ଧ୍ୱନି ଓ ଆଲୋକ ପ୍ରଦୂଷଣମୁକ୍ତ ନୟାଗଡ଼ ଗଠନରେ ପ୍ରମୁଖ ଭୂମିକା ନେବାକୁ ସଂଘ ପକ୍ଷରୁ ସଂକଳ୍ପ ନିଆଯାଇଛି।
ମାନବୀୟ ପରିବେଶର ବିକାଶ ପାଇଁ ଜୈବିକ କୃଷି, ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଓ ବିପଣନ ସହ ପରିବେଶ ଅନୁକୂଳ କୁଟୀର ଶିଳ୍ପର ବିକାଶ କରି ଜୀବିକା ନିର୍ବାହର ବିକଳ୍ପ ପନ୍ଥା ସୃଷ୍ଟି କରିବାକୁ ମଧ୍ୟ ମହାସଂଘ ଲକ୍ଷ୍ୟ ରଖିଛି। ଏଥିସହ ରକ୍ତଦାନ, ଶରୀରଦାନ, ସଡ଼କ ସୁରକ୍ଷା, ନିଶା ନିବାରଣ, ଶିଶୁ, ମହିଳା, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାଙ୍କ ଯତ୍ନ ସମେତ ବିଭିନ୍ନ ସାମାଜିକ ସେବା କାର୍ଯ୍ୟରେ ମନୋନିବେଶ କରିବାକୁ ସଂକଳ୍ପ ନିଆଯାଇଛି।
ଏହି ଅବସରରେ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ମାଡାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇ ସଂଘର ବିଭିନ୍ନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ନିବେଦନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗର ପ୍ରତିଶ୍ରୁତି ଓ ପ୍ରେରଣା ମିଳିଥିବାରୁ ମହାସଂଘର କର୍ମକର୍ତ୍ତାମାନେ ଉତ୍ସାହିତ ହୋଇଥିବା ଜଣାପଡ଼ିଛି।
ନୟାଗଡ଼ ଜିଲ୍ଲାର ପରିବେଶ ସୁରକ୍ଷା ତଥା ସର୍ବାଙ୍ଗୀନ ବିକାଶରେ ଜଙ୍ଗଲ ସୁରକ୍ଷା ମହାସଂଘକୁ ସହଯୋଗ କରିବା ପାଇଁ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ, ପରିବେଶପ୍ରେମୀ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ତଥା ଜିଲ୍ଲାବାସୀଙ୍କୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
