ନୟାଗଡ଼,(୧୫/୦୯): ଏବେବି ନୟାଗଡ଼ ଜିଲ୍ଲାର ଅନେକ ଗାଁରେ ଗ୍ରାମ୍ୟ କମିଟି ଦ୍ୱାରା କଙ୍ଗାରୁକୋର୍ଟ ପରିଚାଳିତ ହେଉଥିବା ବେଳେ ଏହି କଙ୍ଗାରୁକୋର୍ଟର ନିଷ୍ପତ୍ତି ବହୁ ବ୍ୟକ୍ତିଙ୍କୁ ଛାରଖାର କରି ଦେଇଛି। ଏହି କ୍ରମରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ କଙ୍ଗାରୁକୋର୍ଟ ଘଟଣାରେ ପୁଲିସ ଗାଁ ସଭାପତି ଅଭିମନ୍ୟୁ ପ୍ରଧାନ, ଉପସଭାପତି ମନୁ ମୁଦୁଲି ଏବଂ ସମ୍ପାଦକ ରମେଶ ମୁଦୁଲିକୁ ଗିରଫ କରିଛି । ଗୋଳଗୋଳା ଗ୍ରାମରେ ଦୀର୍ଘଦିନ ଧରି କଙ୍ଗାରୁକୋର୍ଟ ଚାଲି ଆସିଥିବା ଅଭିଯୋଗ ହେଉଥିଲା । ଗୋଳଗୋଳା ଗ୍ରାମର ଚିରଞ୍ଜିବୀ ପ୍ରଧାନ କଙ୍ଗାରୁକୋର୍ଟର ଶୀକାର ହୋଇ ଏସ୍ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ୧୩୫/୨୧ରେ ଏକ ମାମଲା ରୁଜୁ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ସଦରଥାନା ପୁଲିସ ଚଢ଼ାଉ କରି ଗାଁ ସଭାପତି, ଉପସଭାପତି ଏବଂ ସମ୍ପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ନୟାଗଡ଼ ‘କଙ୍ଗାରୁ କୋର୍ଟ’ର ତିନି ବିଚାରପତି ଗିରଫ
