ସମ୍ବର୍ଦ୍ଧନା ପରିବାରର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ଠାରେ ସମ୍ବର୍ଦ୍ଧନା ପରିବାର ଦ୍ୱାରା ୨୦୨୨ ବର୍ଷ ପାଇଁ ସମ୍ବର୍ଦ୍ଧନା ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଏବଂ ସୁଶାନ୍ତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିରାକାର ସ୍ୱାଇଁ ମହୋଦୟ ସଭାପତିତ୍ୱ ଏବଂ ହରିପ୍ରିୟା ଦ୍ବିବେଦୀ ସମ୍ପାଦନା ଭାର ସୁଚାରୁରୂପେ ନିର୍ବାହ କରିଥିଲେ।

ସେବା, ସଂସ୍କୃତି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାରା ଓଡ଼ିଶାରେ ଶରଣକୁଳ ମାଟି ନିଜର ଉତ୍କର୍ଷତା ଐତିହାସିକ ଯୁଗରୁ ପ୍ରତିପାଦିତ କରି ଆସିଛି। ଲଡୁବାବାଙ୍କ ଦୀପାବଳି ଯାତ୍ରା ସମୟରେ ଓ ଶ୍ରୀକ୍ଷେତ୍ର ପୁରୀରେ ସେବା କ୍ଷେତ୍ରରେ ମୁରାରୀ ତ୍ରିପାଠୀଙ୍କ ଉଲ୍ଲେଖନୀୟ କାର୍ଯ୍ୟର ପୁନରାଲୋଚନା କରିବା ସହ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶିକ୍ଷା ଗୁରୁ ହେବାର କାର୍ଯ୍ୟଭାର ତୁଲାଇବା ଏବଂ ପଣ୍ଡିତ ବିନାୟକ ମିଶ୍ରଙ୍କ ଆଧୁନିକ ସାହିତ୍ୟ ପ୍ରତି ଅବଦାନ ବିଷୟରେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାଶ ପ୍ରାକ୍ତନ ଅଧ୍ୟାପକ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଅବତାରଣା କରାଇ ରାଜ୍ୟସ୍ତରୀୟ ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏକକ ଅଭିନୟର ଜନକ କଳାନିଧି ବାଞ୍ଛାନିଧି ଶତପଥୀଙ୍କ ଉପରେ ଟିପ୍ପଣୀ ଦେଇ ନୟାଗଡ଼ ଜିଲ୍ଲାର ଗାରିମା ବୃଦ୍ଧି କରାଇଥିଲେ।
କବି ଯଦୁମଣି, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ନାଟ୍ୟକାର ଗୋବିନ୍ଦ ଚନ୍ଦ୍ର ସୁରଦେଓ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର(ଆଇନିଜୀବୀ) ନାଟ୍ୟକାର ରାମଚନ୍ଦ୍ର ମିଶ୍ର (ଅଧ୍ୟାପକ)ଙ୍କ ବିଷୟରେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାଶ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରି ଓଡ଼ିଶା ଭାଷା ସାହିତ୍ୟକୁ ନୟାଗଡ଼ ଜିଲ୍ଲାର ଅବଦାନ ଉପରେ ସମ୍ୟକ ବିହାଙ୍ଗାବଲୋକନ କରାଇଥିଲେ। ଗଦାଧର ସିଂହ ସାମନ୍ତଙ୍କ ଢୁମ୍ପା ସଙ୍ଗୀତ ରଚନା ଓ ସୃଜନୀ ଉପରେ ନିଜର ଅଭିଭାଷଣ ପ୍ରଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀର ଓଡ଼ିଆ ଅଧ୍ୟାପକ ଅଶୋକ କୁମାର ନାୟକ, ସୁବର୍ଣ୍ଣପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରଫେସର ମଦନ ସୁନ୍ଦର ଖେତି, ଖଡ଼ିଆଳ ମହାବିଦ୍ୟାଳୟ ଅଧ୍ୟାପିକା ଡ଼ା ଗୀତାଶ୍ରୀ ପ୍ରିୟମ୍ବଦା ଏବଂ ଇଂ ସରୋଜ ମହାପାତ୍ର ଭୁବନେଶ୍ୱର ମହାନଗର ମଞ୍ଚ ମଣ୍ଡନ କରି ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି କଳ୍ପେ ପାଠକ ସୃଷ୍ଟିର ଆଉ ଏକ “ରେନେସାଁ” ଆରମ୍ଭ ଦିଗରେ ଗୁରୁତ୍ୱ ଆରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏକାଅଶୀରୁ ଉର୍ଦ୍ଧ୍ବ କବି କବିତା ପଠନ ପାଇଁ ଉପସ୍ଥିତ ଥିଲେ।ଅଧ୍ୟାପିକା ନିଳିମା ନନ୍ଦ ଏବଂ କବି ସିତୁପ୍ରକାଶ ରଥ କବିତା ସଂଯୋଜନା କରିଥିଲେ। ଗାଳ୍ପିକ ଦେବେନ୍ଦ୍ର ପରମଗୁରୁ ଗଳ୍ପ ପଠନ କରି ଶ୍ରୋତାଙ୍କ ମନ ମୋହି ନେଇଥିଲେ।

ସମ୍ବର୍ଦ୍ଧନା ପରିବାର ତରଫରୁ ବିଶିଷ୍ଟ ଲେଖକ ତଥା “ଅକ୍ଷ” ପତ୍ରିକାର ସମ୍ପାଦକ ହାଡ଼ିବନ୍ଧୁ ମହାଖୁଡ଼ଙ୍କୁ “ସମ୍ବର୍ଦ୍ଧନା ସାରସ୍ୱତ ସମ୍ମାନ”ପ୍ରଦାନ କରାଯାଇଥିଲା। ଗୀତିକଳ୍ପ ହରିଶ ପ୍ରଧାନଙ୍କୁ “ସମ୍ବର୍ଦ୍ଧନା ବିବିଧ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଯୁଗ୍ମ ଭାବରେ ବିପ୍ଲବୀ କବି ପ୍ରଫୁଲ୍ଲ କୁମାର ମାଝୀ ଏବଂ ଡ଼ଃ ସୁକାନ୍ତି ମହାନ୍ତିଙ୍କୁ “ସମ୍ବର୍ଦ୍ଧନା ସାହିତ୍ୟ ସମ୍ମାନ” ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ବିଭୂଦତ୍ତ ମହାପାତ୍ର ଶରଣକୁଳଙ୍କୁ ସମ୍ବର୍ଦ୍ଧନା ଧାର୍ମିକ ସମ୍ମାନ, ସନ୍ତୋଷ ଷଡଙ୍ଗୀଙ୍କୁ “ସେବା ସମ୍ମାନ” ପାଲା ଗାୟକ ମନୋଜ ମିଶ୍ରଙ୍କୁ “କଳା ସମ୍ମାନ” ଏବଂ ଯଥାକ୍ରମେ ଶାନ୍ତନୁ ବିଶୋଇ, ଉତ୍ପଳ କୁମାର ସାହୁ ଏବଂ ଅନାଦି ଚରଣ ମହାନ୍ତିଙ୍କୁ ସମ୍ବର୍ଦ୍ଧନା “ପ୍ରତିଭା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା।

“ଗୌରବ ସମ୍ମାନ”ରେ ଇଂ ସୁଶାନ୍ତ କୁମାର ପାତ୍ର ଓ ହରପ୍ରିୟା ଦ୍ବିବେଦୀଙ୍କୁ ଆପ୍ୟାୟିତ କରାଯିବା ସଙ୍ଗେ ସଙ୍ଗେ ଯୁବ ସାମ୍ବାଦିକ ଅର୍ଜୁନ ସାହୁ କୁରାଳ ଏବଂ ଶିବନାରାୟଣ ଦାଶଙ୍କୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜନଶକ୍ତି ବିଦ୍ୟାନିକେତନ ଦେଓଗାଁ ଭାଲିଆଡିହର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଣଜିତ ମହାପାତ୍ରଙ୍କୁ ଦାମୋଦର ମହାପାତ୍ର ସ୍ମୃତି ସମ୍ମାନ, ଶ୍ରୀଯୁକ୍ତ ଘନଶ୍ୟାମ ରାଉତ କଜଳାଇପଲ୍ଲୀ ବିଜ୍ଞାନ ଶିକ୍ଷକଙ୍କୁ ରଜନୀ ମିଶ୍ର ସ୍ମୃତି ସମ୍ମାନ ଏବଂ ପ୍ରିୟରଞ୍ଜନ ସାମନ୍ତସିଂହାର ଶିକ୍ଷକଙ୍କୁ ସୁବାସ ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବ୍ୟକ୍ତିଗତ ଭାବେ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବା ଶାନ୍ତନୁ ବିଶୋଇ ନିଜ ସଫଳତାର ଶ୍ରେୟ ଗୀତିକଳ୍ପ ହରିଶ ପ୍ରଧାନଙ୍କୁ ଅର୍ପଣ କରିଛନ୍ତି।

ବିଭିନ୍ନ ସାହିତ୍ୟିକ ମହଲରୁ ସମ୍ବର୍ଦ୍ଧନା ପରିବାରର ଏଭଳି କାର୍ଯ୍ୟକ୍ରମକୁ ଭୁରିୟସୀ ପ୍ରସଂଶା କରାଯାଇଛି।

Related posts