ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ୩ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପାଇଁ ୩୯୫କୋଟି ୪୪ଲକ୍ଷ ଟଙ୍କାର ୨ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ନୟାଗଡ ଜିଲ୍ଲାରେ ୨ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୩୯୫କୋଟି ୪୪ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା ଉପରୋକ୍ତ ଜିଲ୍ଲାର ୨ଟି ବ୍ଲକ ଅଧୀନରେ ଥିବା ୭୩ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩ଲକ୍ଷ ୮ହଜାର ୨ଶହ ୩୧ଜଣ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ରଣପୁର ବ୍ଳକ ଅଧୀନରେ ଥିବା ୩୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମର ପ୍ରାୟ ୧,୫୪,୫୯୪ ଜଣ ଓ ଓଡ଼ଗାଁ ବ୍ଲକ ଅଧୀନରେ ଥିବା ୩୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯୭ଟି ଗ୍ରାମର ପ୍ରାୟ ୧,୫୩,୬୩୭ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପ ଗୁଡିକୁ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Related posts