ଗୋଡ଼ିପଡ଼ା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ (YRC) ଓ ଜାତୀୟ ସେବା ଯୋଜନା (NSS) ବିଭାଗ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ୧୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଶରଥି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ସଭାରେ ପ୍ରାକ୍ତନ ଅଧ୍ୟକ୍ଷା ଡ. ଉଷାରାଣୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ହିଁ ମାନବର ପରମ ଧର୍ମ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ସ୍ୱଚ୍ଛତାକୁ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଡ. ସନ୍ତୋଷ କୁମାର ସାହୁ ସ୍ୱଚ୍ଛତା ଅଭିଯାନର ମହତ୍ତ୍ୱ ଓ ଏହାର ସାମାଜିକ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ତଥା କାର୍ଯ୍ୟକ୍ରମ ଅଧିକାରୀ ଗଙ୍ଗାଧର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
କ୍ରୀଡ଼ା ଶିକ୍ଷକ ଚିତ୍ତରଞ୍ଜନ ମହାପାତ୍ରଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ଓ ସାମାଜିକ ସେବା ମନୋଭାବ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଗୋଡ଼ିପଡ଼ା କଲେଜରେ ସ୍ୱଚ୍ଛତା ଅଭିଯାନ ଉଦ୍ଯାପିତ, ୧୫୦ଜଣ ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣ
