ଟିବି ମୁକ୍ତ ନୟାଗଡ଼ ପାଇଁ ଗଠନ ହେବ ‘ଜୋସ୍’ ଟିମ୍, ୮ଟି ଗ୍ରାମ ପଞ୍ଚାୟତକୁ ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ବୃଦ୍ଧି ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାରେ ‘ଜୋସ୍’ (JOSH) ଟିମ୍ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ୨୦୨୫ ମସିହାରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାର ୮ଟି ଗ୍ରାମ ପଞ୍ଚାୟତକୁ ‘ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରାଯାଇଛି।

ଏହି ଉପଲକ୍ଷେ ଗୁରୁବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହି ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ।

ଜିଲ୍ଲାରେ ସାମାଜିକ ସଚେତନତା ଓ ସ୍ୱାସ୍ଥ୍ୟସେବାର ପ୍ରସାର ପାଇଁ ‘ଜୋସ୍’ ଟିମ୍ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ବ୍ଲକ୍‌ରେ ଏକ ସ୍ୱତନ୍ତ୍ର ‘ଟିବି ମୁକ୍ତ ଭାରତ ଟିମ୍’ ଗଠନ ନେଇ ଆଲୋଚନା ହୋଇଥିଲା। ଜଣେ ନୋଡାଲ ଅଧିକାରୀଙ୍କ ନେତୃତ୍ୱରେ ‘ମାଇଁ ଭାରତ’ର ୫ ଜଣ ସ୍ୱେଚ୍ଛାସେବୀ ଏବଂ ନି-କ୍ଷୟ ମିତ୍ର ଭାବେ ପଞ୍ଜୀକୃତ ୫ ଜଣ ଏନ୍‌ସିସି କ୍ୟାଡେଟ୍ ଏହି ଟିମ୍‌ରେ ସାମିଲ ହେବେ।

ବୈଠକରେ ଯକ୍ଷ୍ମା ନିରାକରଣ ପାଇଁ ଜାତୀୟସ୍ତରରେ ‘ଜୋସ୍’ ଟିମ୍ କାର୍ଯ୍ୟକ୍ରମର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିଲା। ଉପସ୍ଥିତ ସଦସ୍ୟମାନଙ୍କୁ ଅଭିମୁଖୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହ ଯୁବ ସଂଗଠନକୁ ସକ୍ରିୟ କରିବା, ସଚେତନତା ରାଲି ଆୟୋଜନ, ମାଗଣା ଯକ୍ଷ୍ମା ପରୀକ୍ଷା ଓ ‘ଟିବି ମୁକ୍ତ ଭାରତ ଆପ୍‌’ର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ଯକ୍ଷ୍ମାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।

୮ଟି ପଞ୍ଚାୟତକୁ ସମ୍ମାନ

୨୦୨୫ ମସିହାରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର ୮ଟି ଗ୍ରାମ ପଞ୍ଚାୟତକୁ ‘ଟିବି ମୁକ୍ତ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରାଯାଇଥିଲା।

ପୁରସ୍କୃତ ପଞ୍ଚାୟତଗୁଡ଼ିକ ହେଲା ନୟାଗଡ଼ ବ୍ଲକ୍‌ର ଗମ୍ଭାରୀଡିହି, ଲେଙ୍କୁଡ଼ିପଡ଼ା ଓ ନଡ଼ିଆଳି; ନୂଆଗାଁ ବ୍ଲକ୍‌ର ଢେଙ୍କେଣା ଓ ସିକ୍ରିଡ଼ା; ଓଡ଼ଗାଁ ବ୍ଲକ୍‌ର ହରିଡ଼ାବନ୍ଧ ଓ ସୋଲପଟା ଏବଂ ଭାପୁର ବ୍ଲକ୍‌ର ଭଗବାନପୁର। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଂପୃକ୍ତ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।

ରାଷ୍ଟ୍ରୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ଯକ୍ଷ୍ମା ରୋଗର ପ୍ରାରମ୍ଭିକ ଚିହ୍ନଟ, ମାଗଣା ଚିକିତ୍ସା ଏବଂ ନି-କ୍ଷୟ ପୋଷଣ ଯୋଜନା ମାଧ୍ୟମରେ ରୋଗୀଙ୍କୁ ନିୟମିତ ସହାୟତା ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା। ଜନସହଭାଗିତାକୁ ବ୍ୟାପକ କରି ଯକ୍ଷ୍ମାମୁକ୍ତ ନୟାଗଡ଼ ଗଠନ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମତପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ବି. ଏସ୍. ରାଓ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ପ୍ରକାଶ ବଳିୟାରସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Related posts