ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବ

୨ ଲକ୍ଷ ୧୭ ହଜାର ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା

୨୩ ଲାଇନମ୍ୟାନଙ୍କ ଛଟେଇ ଉଦ୍ୟମକୁ ବିରୋଧ, ହାଇକୋର୍ଟ ଯିବାକୁ ରଣଜିତ ଦାଶଙ୍କ ଚେତାବନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଟିପିସିଓଡିଏଲ୍‌ (TPCODL) ଅଧୀନରେ ଥିବା ଏହି ଡିଭିଜନରେ ଆବଶ୍ୟକ କର୍ମଚାରୀ ନଥିବାରୁ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ଉପଭୋକ୍ତାଙ୍କୁ ଉନ୍ନତ ସେବା ଯୋଗାଣ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କାର୍ଯ୍ୟରତ ୨୩ ଜଣ ଲାଇନମ୍ୟାନଙ୍କୁ ହଟାଇବା ଉଦ୍ୟମକୁ ବିରୋଧ କରିଛନ୍ତି ନୟାଗଡ଼ ବାର୍‌ ଆସୋସିଏସନ୍‌ର ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜନସ୍ୱାର୍ଥରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ସେ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାର ନକଲ ଟିପିସିଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନୟାଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ପଠାଯାଇଛି।

ସ୍ମାରକପତ୍ରରେ ଉଲ୍ଲେଖ ଅନୁଯାୟୀ, ନୟାଗଡ଼ ବିଦ୍ୟୁତ ଡିଭିଜନ ଅଧୀନରେ ପ୍ରାୟ ୨ ଲକ୍ଷ ୧୭ ହଜାର ଘରୋଇ ଓ ବ୍ୟାବସାୟିକ ଉପଭୋକ୍ତା ରହିଛନ୍ତି। ଏହି ଡିଭିଜନରେ ୨୪ଟି ପ୍ରାଇମେରୀ ସବ୍‌ଷ୍ଟେସନ୍‌, ୩୬୦ କିଲୋମିଟର ୩୩ କେଭି ବିଦ୍ୟୁତ ଲାଇନ୍‌, ୩,୫୦୦ କିଲୋମିଟର ୧୧ କେଭି ଲାଇନ୍‌ ଏବଂ ୭,୧୦୦ଟି ବିତରଣ ଟ୍ରାନ୍ସଫର୍ମର ରହିଛି।

ଏତେ ବିଶାଳ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ଉପଭୋକ୍ତାଙ୍କୁ ସୁରକ୍ଷିତ ତଥା ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ପାଇଁ ଅତିକମ୍‌ରେ ୪୫୦ରୁ ୫୨୦ ଜଣ କ୍ଷେତ୍ର କର୍ମଚାରୀ ଆବଶ୍ୟକ ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି। କିନ୍ତୁ ବର୍ତ୍ତମାନ ଠିକା ସଂସ୍ଥା ମାଧ୍ୟମରେ ମାତ୍ର ୨୯୫ ଜଣ ଲାଇନମ୍ୟାନ୍‌, ୧୬ ଜଣ ସୁପରଭାଇଜର ଏବଂ ଜଣେ ସୁରକ୍ଷା ଅଧିକାରୀ ନିୟୋଜିତ ଥିବା ଉଲ୍ଲେଖ କରାଯାଇଛି।

ଅଭିଯୋଗ ଅନୁଯାୟୀ, କର୍ମଚାରୀ ଅଭାବର ସମାଧାନ କରିବା ପରିବର୍ତ୍ତେ ଠିକା ସଂସ୍ଥା ବର୍ତ୍ତମାନ କାର୍ଯ୍ୟରତ ୨୯୫ ଜଣ ଲାଇନମ୍ୟାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ହଟାଇବା ପାଇଁ ଉଦ୍ୟମ କରୁଛି। ଏହାଦ୍ୱାରା ବିଦ୍ୟୁତ ଲାଇନ୍‌ର ରକ୍ଷଣାବେକ୍ଷଣ, ତ୍ରୁଟି ମରାମତି ଓ ଜରୁରୀକାଳୀନ ସେବା ପ୍ରଭାବିତ ହେବା ସହ ଉପଭୋକ୍ତାମାନେ ବାରମ୍ବାର ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ୍‌ ଏବଂ ବିଦ୍ୟୁତ ଯନ୍ତ୍ରାଂଶ ନଷ୍ଟ ହେବା ଭଳି ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଏଥିସହ ଏତେ ବଡ଼ ବିଦ୍ୟୁତ ନେଟ୍‌ୱର୍କ ପାଇଁ ମାତ୍ର ଜଣେ ସୁରକ୍ଷା ଅଧିକାରୀ ନିୟୋଜିତ ଥିବାରୁ କର୍ମଚାରୀ ଓ ସାଧାରଣ ଜନତାଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।

ତେଣୁ ପ୍ରସ୍ତାବିତ ୨୩ ଜଣ ଲାଇନମ୍ୟାନଙ୍କ ଛଟେଇ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବା ସହ ଡିଭିଜନର ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜନ କରିବାକୁ ଦାବି ହୋଇଛି।

ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି ଯେ, ଆସନ୍ତା ସାତ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରିଟ୍‌ ପିଟିସନ୍‌ ଦାଖଲ କରାଯିବ। ଏବେ ଏହି ଦାବି ଉପରେ ଶକ୍ତି ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନୟାଗଡ଼ବାସୀଙ୍କ ନଜର ରହିଛି।

Related posts