ଓଡ଼ଗାଁ ବନାଞ୍ଚଳ ତରଫରୁ ଗାଁ’ ଗାଁ’ରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ସ୍ଥାନୀୟ ଜନସାଧାରଣଙ୍କ ଆଗ୍ରହ ଓ ଆବଶ୍ୟକତାକୁ ନେଇ ଓଡ଼ଗାଁ ବନାଞ୍ଚଳ ତରଫରୁ ବାହାଡ଼ାଝୋଲା ରିଜର୍ଭ ଜଙ୍ଗଲ ପାଖ ଗାଁ’ ଗୁଡିକରେ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଓ ବନପାଳ ସରିତା ବରାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଲିମ୍ବ, ପେସ୍ତା, କାଜୁ, ଗଙ୍ଗଶିଉଳି, ତେକ୍ମା ଓ ବେଲ ଇତ୍ୟାଦି ସାତ ଶହରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରାଯାଇଥିଲା। ସମାଜସେବୀ ତଥା ପରିବେଶବିତ ସୁକାନ୍ତ ଚୌଧୁରୀ ଉପସ୍ଥିତ ରହି ଲୋକମାନଙ୍କୁ ଗଛ ଲଗାଇବାର ଆବଶ୍ୟକତା ଓ ପରିବେଶର ଯତ୍ନ ସମ୍ବନ୍ଧେ ବକ୍ତବ୍ୟ ସହିତ ପିଲାଟିଏ ଗଛଟିଏ, ଗଛ ଲଗାଅ ପରିବେଶ ବଞ୍ଚାଅ ଇତ୍ୟାଦି ସ୍ଳୋଗାନ ଦେଇ ସଚେତନ କରାଇଥିଲେ । ପରିକ୍ରମା କାଳରେ ଚାଳିଶ ପରିବାର ବିଶିଷ୍ଟ ହରିଜନ ଗ୍ରାମ ଖଜୁରିଆ ଜନସାଧାରଣଙ୍କ ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ପରିବେଶ ସାଥି ୯୦ଟି ଚାରା କିଣି ପରିବାର ପିଛା ୨ଟି ଲେଖାଏଁ ଚାରା ବଣ୍ଟନ କରିବା ସହିତ ଗାଁ’ର ସବୁଜ ସାଥିମାନଙ୍କ ସହାୟତାରେ ଗ୍ରାମ ରାସ୍ତା ପାର୍ଶ୍ବରେ ଦଶଟି ଚାରା ରୋପଣ କରାଇ ଆଗାମୀ ଦିନରେ ଗ୍ରାମକୁ ଆସିଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ପରିବାରଙ୍କ ଦ୍ଵାରା ଗଛ ଲଗାଇବାର ଆଗ୍ରହ ସୃଷ୍ଟି କରିପାରିଛନ୍ତି। ଲୋକମାନଙ୍କର ଗଛ ଲଗାଇବା ଶ୍ରଦ୍ଧା ଦେଖି ବନାଞ୍ଚଲ ଅଧିନସ୍ଥ ସମସ୍ତ ଗ୍ରାମରେ ଚାରା ପହଞ୍ଚାଇ ଦେବାର ବ୍ୟବସ୍ଥା କରିବା ପାଇଁ ବନ ଅଧିକାରୀଙ୍କ ପ୍ରତିଶ୍ରୁତି ପରିବେଶ ପ୍ରେମୀଙ୍କୁ ଉତ୍ସାହିତ କରିଛି। ବନ ବିଭାଗ ତଥା ପରିବେଶ କର୍ମୀଙ୍କ କାର୍ଯ୍ୟକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।

Related posts