ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ବ୍ଲକ ଶିକ୍ଷାଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଥିବାରୁ ସୋମବାର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷକ ପଦବୀ ପୂରଣ ଦାବିରେ ସେମାନେ ଗାତେରି ନିକଟରେ ମହିପୁର–ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ସୂଚନା ଅନୁସାରେ, ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଯୋଗଦାନ ପରଠାରୁ ଗତ ତିନି ବର୍ଷ ଧରି ଡେପୁଟେସନରେ ଭୁବନେଶ୍ୱରସ୍ଥ ଏକ ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ବିଦ୍ୟାଳୟର ତିନିଜଣ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି। ଫଳରେ ଇଂରାଜୀ, ଓଡ଼ିଆ, ଇତିହାସ, ଭୂଗୋଳ ଓ ହିନ୍ଦୀ ଭଳି ବିଷୟ ପାଇଁ ଶିକ୍ଷକ ପଦ ଦୀର୍ଘଦିନ ଧରି ଖାଲି ପଡ଼ିରହିଛି। ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରାଯାଇଥିଲା। ତଥାପି କୌଣସି ସମାଧାନ ନ ହେବାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆନ୍ଦୋଳନର ପଥ ବାଛିଥିଲେ।

ଖବର ପାଇ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ଗିରିଜା ଶଙ୍କର ମହାପାତ୍ର, ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ଅତିରିକ୍ତ ତହସିଲଦାର ଭବାନୀଶଙ୍କର ନାୟକ ଓ ରାଜସ୍ୱ ପରିଦର୍ଶକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ ରାଉତ ଓ ନ୍ୟାୟପଞ୍ଚ ପ୍ରଶାନ୍ତ ଗନ୍ତାୟତଙ୍କ ସହ ଆଲୋଚନା କରିଥିଲେ।

ଆସନ୍ତା ୨୯ ଜୁନ ସୁଦ୍ଧା ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରାସ୍ତା ଅବରୋଧ ହଟାଇଥିଲେ।
ତେବେ ବ୍ଲକ ଶିକ୍ଷାଧିକାରୀଙ୍କ ଏହି ପ୍ରତିଶ୍ରୁତି କେବଳ କାଗଜକଲମରେ ସୀମିତ ରହୁଛି ନା ବାସ୍ତବରେ ବିଦ୍ୟାଳୟକୁ ଆବଶ୍ୟକ ଶିକ୍ଷକ ମିଳି ଶିକ୍ଷାଦାନ ସ୍ୱାଭାବିକ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Related posts