ଓଡ଼ଗାଁରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି; ୧୨୫ଟି ଅଭିଯୋଗ ମଧ୍ୟରୁ ୬୨ଟିର ତୁରନ୍ତ ସମାଧାନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓଡ଼ଗାଁଠାରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ।

ଆଜିର ଶିବିରରେ ମୋଟ ୧୨୫ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ୯ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ, ୧୧୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସମ୍ପର୍କିତ ଆବେଦନ ରହିଥିଲା। ପ୍ରଶାସନର ତତ୍ପରତା ଫଳରେ ଶିବିରରେ ହିଁ ୬୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ଜଣାପଡ଼ିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି ଜନଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ହେବା ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଓ ବିଶ୍ୱାସ ଆହୁରି ସୁଦୃଢ଼ ହେଉଥିବା ମତ ପ୍ରକାଶ ପାଇଛି।

Related posts