ନୟାଗଡ଼ ଜିଲ୍ଲାପାଳଙ୍କ ରିଭିଜନାଲ୍ କୋର୍ଟର ଐତିହାସିକ ରାୟ, ସଂଶୋଧନ ହେବ ଜମିର ରେକର୍ଡ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪୧ ବର୍ଷର ଅପେକ୍ଷା ଓ ଆଇନଗତ ଲଢ଼େଇର ଅନ୍ତ ଘଟିଛି। ଶେଷରେ ନ୍ୟାୟ ପାଇଛନ୍ତି ବାଉଁଶିଆପଡ଼ା ମୌଜା ଅନ୍ତର୍ଗତ ବଳରାମପୁର ସାହିର ଗ୍ରାମଦେବତୀ ମା’ ପାଟଚଣ୍ଡୀ ଠାକୁରାଣୀ। ୧୯୮୫ ମସିହାରେ ପ୍ରକାଶିତ ହାଲ୍ ରେକର୍ଡରେ ଦେବୀଙ୍କ ନାମ ଓ ପରିଚୟରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବାକୁ ନୟାଗଡ଼ ଜିଲ୍ଲାପାଳଙ୍କ ରିଭିଜନାଲ୍ କୋର୍ଟ ଐତିହାସିକ ରାୟ ପ୍ରଦାନ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବାଉଁଶିଆପଡ଼ା ମୌଜାର ସାବକ ଖାତା ନଂ-୬୧୮ରେ ମା’ ପାଟଚଣ୍ଡୀ ଠାକୁରାଣୀଙ୍କ ପରିଚୟ ଗ୍ରାମଦେବତୀ ଭାବେ ରେକର୍ଡଭୁକ୍ତ ଥିବାବେଳେ ୧୯୮୫ ମସିହାରେ ପ୍ରକାଶିତ ହାଲ୍ ରେକର୍ଡରେ ଦେବୀଙ୍କ ପରିଚୟ ପରିବର୍ତ୍ତନ ହୋଇ ଅନ୍ୟ ଭାବରେ ଲିପିବଦ୍ଧ ହୋଇଥିଲା। ଏହି ତ୍ରୁଟିର ସଂଶୋଧନ ଦାବିରେ ବଳରାମପୁର ସାହିର ଗ୍ରାମବାସୀ ଓ ଭକ୍ତମାନଙ୍କ ପକ୍ଷରୁ ରବୀନ୍ଦ୍ର ସ୍ୱାଇଁ (ସଭାପତି) ଏବଂ ସଞ୍ଜୟ କୁମାର ପାତ୍ର (ସମ୍ପାଦକ) ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆକ୍ଟ, ୧୯୫୮ର ଧାରା ୧୫(ବି) ଅନୁଯାୟୀ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ।
ଏହି ଦୀର୍ଘ ଆଇନଗତ ଲଢ଼େଇରେ ବାଉଁଶିଆପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ଶିବରାମ ମହାପାତ୍ର ମାମଲା ପରିଚାଳନା କରିଥିଲେ। ସେ ଅଦାଲତରେ ସାବକ ଓ ହାଲ୍ ରେକର୍ଡ, ଐତିହାସିକ ଦସ୍ତାବିଜ, ରାଜସ୍ୱ ତଥ୍ୟ ଏବଂ ଉପଲବ୍ଧ ପ୍ରମାଣକୁ ଆଧାର କରି ଦୃଢ଼, ତଥ୍ୟଭିତ୍ତିକ ଓ ଆଇନସମ୍ମତ ଯୁକ୍ତି ଉପସ୍ଥାପନ କରିଥିଲେ। ଗ୍ରାମଦେବତୀ ମା’ ପାଟଚଣ୍ଡୀ ଠାକୁରାଣୀଙ୍କ ପ୍ରକୃତ ଐତିହାସିକ ପରିଚୟ ଓ ରାଜସ୍ୱ ରେକର୍ଡରେ ରହିଥିବା ତ୍ରୁଟିକୁ ତଥ୍ୟ ଓ ପ୍ରମାଣ ମାଧ୍ୟମରେ ଅଦାଲତଙ୍କ ନିକଟରେ ଉପସ୍ଥାପନ କରିଥିଲେ।
ଉକ୍ତ ରିଭିଜନ୍ କେସ୍ ନଂ-୦୬/୨୦୨୬ର ଶୁଣାଣି କରି ନୟାଗଡ଼ ଜିଲ୍ଲାପାଳ ତଥା ରିଭିଜନାଲ୍ କୋର୍ଟର ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ରଥ, ଆଇ.ଏ.ଏସ୍., ୩୦ ଅକ୍ଟୋବର ୨୦୨୬ରେ ରାୟ ପ୍ରଦାନ କରିଛନ୍ତି। ମାମଲାରେ ସାବକ ଓ ହାଲ୍ ରେକର୍ଡ, ୟାଦାସ୍ତ, ରାଜସ୍ୱ ନିରୀକ୍ଷକଙ୍କ କ୍ଷେତ୍ର ତଦନ୍ତ ରିପୋର୍ଟ, ତହସିଲଦାରଙ୍କ ରିପୋର୍ଟ ଏବଂ ଓଡ଼ିଶା ହିନ୍ଦୁ ଧର୍ମ ଦେବୋତ୍ତର କମିଶନରଙ୍କ ମତାମତକୁ ବିଚାରକୁ ନେଇ କୋର୍ଟ ଦେବୀଙ୍କ ପରିଚୟରେ ଥିବା ତ୍ରୁଟିକୁ ସ୍ୱୀକାର କରିଛନ୍ତି।
ରାୟ ଅନୁଯାୟୀ, ହାଲ୍ ଖାତା ନଂ-୫୧୯ରେ ଥିବା ୧୧ଟି ପ୍ଲଟ୍ର ମୋଟ ୧.୭୮ ଏକର ଜମିରେ ଦେବୀଙ୍କ ପୂର୍ବ ପରିଚୟକୁ ସଂଶୋଧନ କରାଯାଇ ‘ଶ୍ରୀ ଶ୍ରୀ ପାଟଚଣ୍ଡୀ ଠାକୁରାଣୀ ବିଜେ, ନିଜଗାଁ, ସାହି-ବଳରାମପୁର, ମାର୍ଫତ-ଗ୍ରାମବାସୀ ବଳରାମପୁର ସାହି’ ଭାବେ ଲିପିବଦ୍ଧ କରିବାକୁ ଆଦେଶ ଦିଆଯାଇଛି। ଏଥିସହିତ ଦେବୀଙ୍କ ଜମି ଉପରେ ପୂଜକ ଓ ସେବାୟତମାନଙ୍କ ସ୍ୱତନ୍ତ୍ର ଅଧିକାର, ମାଲିକାନା ବା ସ୍ୱତ୍ୱ ସୂଚାଉଥିବା ଟିପ୍ପଣୀଗୁଡ଼ିକୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ରହିଛି। ତେବେ ଏହି ଆଦେଶ ଦ୍ୱାରା ପୂଜକ ଓ ସେବାୟତମାନଙ୍କ ଆଇନସମ୍ମତ ପୂଜା, ସେବା ଓ ଉପାସନା ଅଧିକାର ପ୍ରଭାବିତ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଏହି ରାୟ ପରେ ନୟାଗଡ଼ ତହସିଲଦାରଙ୍କୁ ସଂପୃକ୍ତ ଜମିର ରେକର୍ଡ ଓ ସଂଲଗ୍ନ ରାଜସ୍ୱ ରେକର୍ଡରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦୀର୍ଘ ବର୍ଷ ଧରି ନିଜ ଗ୍ରାମଦେବତୀଙ୍କ ପରିଚୟ ଓ ଐତିହ୍ୟର ସୁରକ୍ଷା ପାଇଁ ଲଢ଼େଇ କରୁଥିବା ବାଉଁଶିଆପଡ଼ା ଓ ବାଲରାମପୁର ସାହିର ଗ୍ରାମବାସୀ ଓ ଭକ୍ତମାନଙ୍କ ମଧ୍ୟରେ ଏହି ରାୟକୁ ନେଇ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘ ୪୧ ବର୍ଷ ପରେ ଗ୍ରାମଦେବତୀଙ୍କ ଐତିହାସିକ ପରିଚୟକୁ ସରକାରୀ ରେକର୍ଡରେ ପୁନଃସ୍ଥାପିତ କରିବାର ଏହି ନିଷ୍ପତ୍ତିକୁ ଗ୍ରାମବାସୀ ଏକ ବଡ଼ ନ୍ୟାୟିକ ସଫଳତା ଭାବେ ଗ୍ରହଣ କରିଛନ୍ତି ।
