ରଣପୁର,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସକାଳ ୬ଟାରେ ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ସେ କହିଥିଲେ ଯେ, ଯୋଗ ଆମର ଦୈନନ୍ଦିନ ଜୀବନଶୈଳୀକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଜୀବନର ମୂଳ ଆଧାର ହୋଇଥାଏ।
ଏହି ଯୋଗ ଶିବିରରେ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ବ୍ଲକ ସିଡିପିଓ, କନିଷ୍ଠ ଯନ୍ତ୍ରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ହକି ଓ ବାସ୍କେଟବଲ ଖେଳାଳି, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ଯୋଗର ଉପକାରିତା ସମ୍ପର୍କରେ ଆଲୋଚନା କରାଯିବା ସହ ସୁସ୍ଥ ଜୀବନର କାରକ ଭାବେ ଯୋଗର ଭୂମିକା ଓ ମେଧାଶକ୍ତି ବୃଦ୍ଧିରେ ଏହାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ରଣପୁରର ବିଭିନ୍ନ ସ୍ଥାନ ଓ ସମସ୍ତ ପଞ୍ଚାୟତ ଅଧୀନରେ ମଧ୍ୟ ଶତାଧିକ ଲୋକଙ୍କ ଉପସ୍ଥିତିରେ ଯୋଗ ଶିବିର ଆୟୋଜିତ ହୋଇଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ଯୋଗ ଦିବସକୁ ନେଇ ସମଗ୍ର ରଣପୁର ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଦେଖିବାକୁ ମିଳିଥିଲା।

