ହରିଶ ପ୍ରଧାନ (ଗୀତିକଳ୍ପ)
ଡେଙ୍ଗା ତାଳଗଛ ମାଟିକି ଶୁଣାଏ
ଜୀବନର ପରିଭାଷା ।
ଜୀବନ କହିଲେ ଜନମ-ମରଣ
ଆଉ ଗୋଟେ ଛୋଟ ବସା।।
କେତେ ଯେ ଉର୍ଦ୍ଧ୍ବରେ ରହିଛି ଦେଖ ହୋ
ବାଟୋଇ ମୋ ପତ୍ରଡାଳ।
ବାଟ ଚାଲୁଅଛ କାହାକୁ ଖୋଜୁଛ
ଦେଖ ଏ ସଂସାର ଖେଳ।।
ବାଟୋଇ ଦେଖିଲା ତିନିଗୋଟି ପକ୍ଷୀ
ରଚିଛନ୍ତି ତିନି ନୀଡ଼
ଚେଁ ଚେଁ ନାଦେ କମୁଛି ଗଗନ
ପତ୍ର ହୁଏ ଫଡ଼ଫଡ଼।।
ଚାଲିଥିଲା ସେଠି ବାହୁଙ୍ଗାଙ୍କ ମଧେ
ସଂସାରର ଆଲୋଚନା।
ତିନିପକ୍ଷୀ ବସି ଶୁଣିଲେ ସଂସାର
ବିଷୟ ବିଷ ବାସନା।।
ତଳ ବାହୁଙ୍ଗାଟି ବିଷାଦେ କହୁଛି
ଗଲା ମୋର ଦିନକାଳ
ସକାଳକୁ ଆଉ ଏଇଠି ନଥିବି
ଆସିଲାଣି ଶେଷବେଳ।।
ସଂସାର ଦୁଃଖରେ ପାଚି ଗଲିଣି ମୁଁ
ମୋ କାମ ଗଲାଣି ସରି
ଏହି ଏକା ସତ୍ୟ ମାଟିରେ ମିଶିବି
ଦୁନିଆକୁ ପିଠି କରି ।।
ମଝି ବାହୁଙ୍ଗାଟି ତାଳମେଳ ରଖି
କହିଲା ଶୁଣ ହେ ଶୁଣ
ସୁଖ ଦେଖିଲିଣି ଦୁଃଖ ଦେଖିଲିଣି
ସୁଖ ତ ଅଢ଼େଇଦିନ।।
ଜୀବନେ ଆସିଛି ଭୋଗିବାକୁ ଏଠି
ସଂସାରର ସାର ଯେତେ
ତୋହ ପଛେପଛେ ମୁଁ ବି ଚାଲିବି
ଗରବ କାହିଁକି ଏତେ ।।
ସବୁ ଶୁଣି ହସି ଉପର ବରଡ଼ା
କହିଲା ପଦିଏ କଥା
ଭାଇରେ ଏମନ୍ତ ସଂସାର ଚାଲିଛି
ଜୀବନରେ ଭରି ବ୍ୟଥା। ।
ଆସିଗଲେ ଥରେ ଫେରିବା ନିଶ୍ଚିତ
ଏଇତ ଦୁନିଆ ଖେଳ।
ତୁମ ଲୀଳାଖେଳା ସରିସରି ଯାଏ
ଆସୁଛି ମୋ ବେଳକାଳ ।।
ଦିନକର କାର୍ଯ୍ୟ ସାରିଦେଇ ସୂର୍ଯ୍ୟ
ଦିଗବଳୟେ ଯା’ନ୍ତି ମିଶି।
ତଳ ପରେ ମଝି ତା’ପରେ ଉପର
ସଭିଏ ପଡ଼ିବା ଖସି।।
ପତ୍ର ପରିଭାଷା ଅବୋଧ ବାଟୋଇ
ଶୁଣୁଥିଲା କାନପାରି।
ଜୀବନ ଯାତ୍ରାରେ ନୂଆ କିଛି ନାହିଁ
ସବୁ କଥା ଏକା ପରି ।।
ତିନି ବାହୁଙ୍ଗାଙ୍କ କଥାକୁ ବୁଝିଲେ
ଆଶ୍ଚର୍ଯ୍ୟ ଲାଗେ ଜୀବନ
ଆସିଲେ ଖସିବା ମାୟାରେ ଖେଳିବା
ସଂସାରରେ ହେବା ଲୀନ ।।
ଯେ’ ଯେତେ ମାୟାରେ ଜୀବନ ଖୋଜିଛି
ସେ ପାଇଛି ସେତେ ଖୁସି
ଲୋଭ ସରିଯାଏ ଜୀବ ହାରିଯାଏ
ମାଟି ଦେହେ ଗଲେ ମିଶି।।
ପିଟିଏସ୍ ରୋଡ୍, ନୟାଗଡ଼