ସଚେତନତା ପାଇଁ ଝୋଟି ଓ ଦାସକାଠିଆ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ଅଭିଯାନ ଓଡ଼ିଶାରେ ଆରମ୍ଭ ହୋଇଛି। ଏନେଇ ନୟାଗଡ଼ ଜିଲ୍ଲାରେ ଗତ ୩୦ ମେ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର (BLO) ମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି।
ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହିଳା BLOମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ପ୍ରଦର୍ଶନ କରାଯାଇଥିଲା। ସେହିପରି ଜନସାଧାରଣଙ୍କୁ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ସଚେତନ କରିବା ପାଇଁ ଦାସକାଠିଆ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ଅନେକ ଲୋକ ଏହି କାର୍ଯ୍ୟକ୍ରମକୁ ଦେଖିବା ସହ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁମିତା ରଥଙ୍କ ନିର୍ଦେଶକ୍ରମେ ଆସନ୍ତା ୧୧ ଜୁନରୁ ଜିଲ୍ଲାର ସମସ୍ତ ବ୍ଲକରେ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଭୋଟର, BLO, Booth Level Agent (BLA) ଏବଂ ସ୍ୱେଚ୍ଛାସେବୀମାନଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଜିଲ୍ଲାରେ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହାୟକ ହେବ ବୋଲି ସେ କହିଛନ୍ତି।
