ଭାଗିରଥୀ ହାଇସ୍କୁଲ ପକ୍ଷରୁ ସଚେତନତା ସାଇକେଲ ରାଲି, ଗ୍ରାମବାସୀଙ୍କୁ ଦିଆଗଲା ପରିବେଶ ସୁରକ୍ଷା ବାର୍ତ୍ତା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସାଇକେଲ ଦିବସ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ହାଇସ୍କୁଲ ପକ୍ଷରୁ ଏକ ସଚେତନତାମୂଳକ ସାଇକେଲ ରାଲି ଆୟୋଜିତ ହୋଇଛି। ଜୁନ୍ ୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସାଇକେଲ ଦିବସ ସପ୍ତାହ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରୀପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସାଇକେଲ ଧରି ଗ୍ରାମ ପରିକ୍ରମା କରିଥିଲେ। ରାଲି ସମୟରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେବା ସହ ସାଇକେଲ ବ୍ୟବହାରର ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା।

ରାଲିରେ ଅଂଶଗ୍ରହଣକାରୀମାନେ ସାଇକେଲ ଚଳାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପେଟ୍ରୋଲ-ଡିଜେଲ ଭଳି ଇନ୍ଧନର ବ୍ୟବହାର କମିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସାଇକେଲ ଏକ ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟପ୍ରଦ ଯାନ ବୋଲି ଉଲ୍ଲେଖ କରି ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର ବଢ଼ାଇବାକୁ ଆହ୍ୱାନ ଦିଆଯାଇଥିଲା। ଏହି ସଚେତନତା ରାଲିକୁ ଗ୍ରାମବାସୀମାନେ ସ୍ୱାଗତ କରିଥିବା ବେଳେ ବିଦ୍ୟାଳୟର ଏଭଳି ପଦକ୍ଷେପକୁ ବେଶ ପ୍ରଶଂସା କରିଛନ୍ତି। ସମାଜରେ ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନତା ସୃଷ୍ଟି ଦିଗରେ ଏହି ରାଲି ଏକ ସକାରାତ୍ମକ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।

Related posts